Spread the love

କଳିଙ୍ଗ ଷ୍ଟାଡିଅମ୍‌ରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ୍‌ରେ ଆୟୋଜିତ ‘ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍‌ ୨୦୨୬’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱସ୍ତରୀୟ ଆଥଲେଟ୍‌ମାନଙ୍କ ଚମତ୍କାର ପ୍ରଦର୍ଶନକୁ ଉପଭୋଗ କରିଛନ୍ତି। ବିଭିନ୍ନ ଦେଶର ଶତାଧିକ ଆଥଲେଟ୍‌ଙ୍କ ସମାଗମ ଭୁବନେଶ୍ୱରକୁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ପରିଣତ କରିଛି।

ଏହି ପ୍ରତିଯୋଗିତାରେ ଭାରତ ସମେତ ଓଡ଼ିଶାର ପ୍ରତିଭାବାନ୍ କ୍ରୀଡ଼ାବିତ୍‌ମାନଙ୍କ ଭାଗିଦାରୀ ରାଜ୍ୟର ବଢ଼ୁଥିବା କ୍ରୀଡ଼ା ସାମର୍ଥ୍ୟର ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ ସ୍ପୋର୍ଟ୍ସ ଟୁରିଜିମ୍‌ର ନୂଆ ସମ୍ଭାବନା ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରଙ୍କ କ୍ରୀଡ଼ା ନୀତି କେବଳ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରେ ସୀମିତ ନୁହେଁ। ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଓ ସୁବିଧା ଯୋଗାଇ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍‌ ଭାବେ ଗଢ଼ିତୋଳିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଏହି ଲକ୍ଷ୍ୟରେ ବ୍ଲକ୍‌ ସ୍ତରରେ ଆଧୁନିକ ସୁବିଧା ସହ ଷ୍ଟାଡିଅମ୍‌ ନିର୍ମାଣ କରାଯାଉଛି। ଏଥିସହ ଭୁବନେଶ୍ୱର ଗୋଠପାଟଣାରେ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ହେବ। ଏଠାରେ ଆଥଲେଟ୍‌ମାନଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ଓ ଆବଶ୍ୟକ କ୍ରୀଡ଼ା ସୁବିଧା ମିଳିବ।

ଓଡ଼ିଶାକୁ ବିଶ୍ୱର ‘କ୍ରୀଡ଼ା ରାଜଧାନୀ’ ଭାବେ ପ୍ରତିଷ୍ଠିତ କରିବା ଦିଗରେ ଏଭଳି ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା ପ୍ରକାଶ ପାଇଛି।

#WorldAthletics #ContinentalTourSilver #OdishaSports #KalingaStadium #SportsCapital #SportsTourism

Leave a Reply

Your email address will not be published. Required fields are marked *