Spread the love

ଗଡ଼ ବୁଢ଼ାପଙ୍କରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଭକ୍ତିମୟ ପରିବେଶରେ ଉତ୍ସବମୁଖର ଗ୍ରାମ

ଗଡ଼ ବୁଢ଼ାପଙ୍କରେ ମା’ ଗଜଲକ୍ଷ୍ମୀଙ୍କ ଆରାଧନା, ଭକ୍ତିମୟ ପରିବେଶରେ ଗ୍ରାମ

ବଅଁରପାଳ, ୨୭/୧୦: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମରେ ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରତିଦିନ ଶତାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ଗତ ୨୬ ତାରିଖ ପ୍ରାତଃ ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ କଳସ ଯାତ୍ରା ସହ ପୂଜାର ଶୁଭାରମ୍ଭ ହୋଇଥିଲା। ଏହି ଯାତ୍ରାରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ଏକ ବିରାଟ ପଟୁଆରରେ ନିକଟସ୍ଥ ପୁଷ୍କରିଣୀରୁ ପବିତ୍ର ଜଳପୂର୍ଣ୍ଣ କଳସ ଆଣି ମା’ଙ୍କ ପୂଜାସ୍ଥଳରେ ସ୍ଥାପନ କରିଥିଲେ।

 

ସେହିଦିନ ସକାଳ ୯ଟାରୁ ବିଧିବିଧାନ ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପ୍ରଥମେ ସୂର୍ଯ୍ୟପୂଜା ଓ ଅଗ୍ନିସ୍ଥାପନ କରାଯିବା ପରେ ବିଭିନ୍ନ ପୂଜାବିଧି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ୬ଟାରେ ମା’ଙ୍କ ଆଳତି ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା। ବ୍ରାହ୍ମଣପୁରୀର ନୈଷ୍ଠିକ ବିପିନ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ବିଜୟ ସାମଲ ଓ ଝୁନୁ କୁମାରୀ ସାମଲ ସ୍ମୃତିକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।

 

ପୂଜା ଅବସରରେ ପ୍ରତିଦିନ ଶତାଧିକ ଭକ୍ତ ମା’ଙ୍କ ପ୍ରସାଦ ସେବନ କରୁଛନ୍ତି। ଆସନ୍ତା ୨୭ ତାରିଖଠାରୁ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

 

ଆସନ୍ତା ନଭେମ୍ବର ୧ ତାରିଖ ରବିବାର ଦିନ ଅପରାହ୍ନ ୨ଟାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହା ସହିତ ପୂଜା ଉତ୍ସବର ସମାପନ ହେବ ବୋଲି କମିଟି ପକ୍ଷରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *