Spread the love

ଗିନିରେ ଭୟଙ୍କର ଭୂସ୍ଖଳନ: ଅଳିଆ ଗଦା ତଳେ ପୋତି ହୋଇ ୩୦ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଗିନିର ରାଜଧାନୀ କୋନାକ୍ରିରେ ପ୍ରବଳ ବର୍ଷା ପରେ ଘଟିଛି ଭୟଙ୍କର ଭୂସ୍ଖଳନ। ସହରର ସବୁଠାରୁ ବଡ଼ ଲ୍ୟାଣ୍ଡଫିଲ୍‌ ଦାର୍ ଏସ୍‌ ସଲାମରେ ଅଳିଆ ପାହାଡ଼ ଧସି ପଡ଼ିବାରୁ ଏହା ତଳେ ପୋତି ହୋଇ ଅତିକମ୍‌ରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

ରବିବାର ଭୋର ପ୍ରାୟ ୩ଟା ସମୟରେ କୋନାକ୍ରିରେ ପ୍ରବଳ ବର୍ଷା ଓ ବାଦଲଫଟା ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହେବା ପରେ ଲ୍ୟାଣ୍ଡଫିଲ୍‌ରେ ଥିବା ବିପୁଳ ଅଳିଆ ଗଦା ଧସିବା ଆରମ୍ଭ କରିଥିଲା। ପରେ ଏହା ନିକଟସ୍ଥ କୁଡ଼ିଆ ଓ ବସତି ଉପରେ ମାଡ଼ି ଯାଇଥିଲା।

ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଳିଆ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅନେକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଅନେକ ଲୋକ ଅଳିଆ ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସାମରିକ ଇଞ୍ଜିନିୟରିଂ ବାଟାଲିଅନର ପରିମଳ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ବାଲଡେ ମାମାଡୋ ବାଇଲୋ କହିଛନ୍ତି ଯେ, ଅଞ୍ଚଳଟିକୁ ଖାଲି କରିବା ପାଇଁ ପୂର୍ବରୁ ପଦକ୍ଷେପ ନିଆଯାଇଥିଲା। ବାସିନ୍ଦାଙ୍କୁ ସ୍ଥାନ ଛାଡ଼ିବା ପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି ହୋଇଥିଲା। ଅନେକ ଲୋକ ନୋଟିସ୍‌ ପାଇବା ପରେ ସ୍ଥାନାନ୍ତର ହୋଇଥିଲେ।

ତଥାପି ଦୁର୍ଘଟଣାରେ ଭାରି ଜନହାନି ଘଟିଛି। ଉଦ୍ଧାର ଅଭିଯାନ ଜାରି ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *