Spread the love

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା ଅନୁସାରେ ଓଡିଶାରେ ଦାରିଦ୍ର୍ୟ ଦୂରୀକରଣ ହାର ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ଭଳି ଦୃତତମ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଗ୍ରାମୀଣ ବିକାଶ ଲକ୍ଷ୍ୟରେ ପୂର୍ବରୁ ଥିବା ‘ଆମ ଗାଁ ଆମ ବିକାଶ’ ନିର୍ଦ୍ଦେଶମାନାରେ ସଂଶୋଧନ କରାଯାଇ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପରିବର୍ତ୍ତିତ ହୋଇ ତଦନୁସାରେ ଗ୍ରାମୀଣ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।

ରାଜ୍ୟର  ବିକାଶ ଓ ଶିଳ୍ପାୟନ  ପାଇଁ ଆବଶ୍ୟକ ଥିବା ଓଡିଶା ସେମିକଣ୍ଡକ୍ଟର ମାନ୍ୟୁଫ୍ୟାକ୍ଚରିଂ ଏବଂ ଫାବଲେସ୍ ପଲିସି ଅନୁମୋଦନ କରାଯାଇଛି। ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ‘ଭୂମି ସମ୍ମାନ’ ପୁରସ୍କାର, ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ ପୁରସ୍କାର-୨୦୨୩ ପ୍ରାପ୍ତ ହେବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର କୃଷକମାନଙ୍କ ପ୍ରିମିୟମ ଅଂଶ ପ୍ରଦାନ ପାଇଁ ନିଷ୍ପତ୍ତି, ଜଳ ସଂପଦ ବିଭାଗ ପକ୍ଷରୁ ନୂତନ ଭାବେ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ସଂରକ୍ଷଣ କରାଯିବା ସହିତ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜୁଲାଇ ମାସରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସଂପର୍କରେ ସେ  ଆଲୋକପାତ କରିଥିଲେ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ଓ ରାଜସ୍ୱ ଆୟ ସଂପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ, ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ବଜେଟ୍ ଅନୁମୋଦନ ହିସାବରେ ଜୁଲାଇ ମାସ ଶେଷ ସୁଦ୍ଧା ଖର୍ଚ୍ଚ ୧୬.୪୩ ପ୍ରତିଶତ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମାସ ଶେଷ ସୁଦ୍ଧା ଏହା ୨୦.୯୭  ପ୍ରତିଶତ ରହିଛି। ସେହିପରି ରାଜସ୍ୱ ଆଦାୟ ଗତବର୍ଷ ଜୁଲାଇ ମାସ ସୁଦ୍ଧା ୧୨ .୨୮  ଥିବା  ବେଳେ ଚଳିତ ବର୍ଷ ଏହା ୨୦ .୬୮  ରହିଛି, ଯାହାକି ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି। ସେହିପରି ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କର ଫାଇନାଲ ପେନସନ ଶୀଘ୍ର ମଂଜୁର ପାଇଁ ଡିଡିଓ ମାନେ ଗୁରୁତ୍ୱ ଦେବା ସହ  ବିଭାଗଓ୍ୱାରୀ ଜନ ଅଭିଯୋଗ ଶୁଣାଣିର ସ୍ଥିତି ସମୀକ୍ଷା କରାଯାଇଥିଲା।ବୈଠକରେ କର୍ମଚାରୀମାନଙ୍କ ଅପେକ୍ଷା ସାଧାରଣ ଲୋକଙ୍କର ଅଭିଯୋଗଗୁଡିକୁ ଗୁଗୁତ୍ୱ ଦିଆଯାଇ ତ୍ୱରିତ ଫଇସଲା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜନ  ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଲୋଚନାରେ ସଂପୃକ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ, ଲଣ୍ଡନ ତରଫରୁ ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ରହିଛି, ସେସବୁର ସଫଳ ରୂପାୟନରେ ବୈଷୟିକ  ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ କରିବା ସଂପର୍କରେ ବିଶଦ୍ ଉପସ୍ଥାପନ କରାଯାଇଥିଲା । ଶେଷରେ ଅବସରପ୍ରାପ୍ତ ଆଇଏଏସ୍‌ ପ୍ରବୀଣ ଦେଶାଇ ଶିମିଳିପାଳ, ଭିତରକନିକା, ସତକୋଶିଆ ପରି ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟକୁ କିପରି ବିଶ୍ୱସ୍ତରୀୟ କରାଯାଇପାରିବ ସେ ସଂପର୍କରେ  ବିସ୍ତୃତ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *