Spread the love

ଦୋଷୀ ସାବ୍ୟସ୍ତ ମାମଲାରେ ଅନୁଗୋଳ ରାଜ୍ୟରେ ପ୍ରଥମ

୨୦ଟି ଗୁରୁତର ମାମଲାରେ ସଫଳତା, ୪୪ ଜଣ ପୋଲିସ ଅଧିକାରୀ ଓ ସରକାରୀ ଓକିଲ ସମ୍ମାନିତ

ଅନୁଗୋଳ: ଗୁରୁତର ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଇବା କ୍ଷେତ୍ରରେ ଅନୁଗୋଳ ଜିଲ୍ଲା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦୋଷୀ ସାବ୍ୟସ୍ତ ମାମଲାର ସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ୬୮ ପ୍ରତିଶତ ଦୋଷୀ ସାବ୍ୟସ୍ତ ହାର ସହ ପ୍ରତିଶତ ଦୃଷ୍ଟିରୁ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି।

ଏହି ସଫଳତାକୁ ନେଇ ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଅଭିଯୋଜନା ନିର୍ଦ୍ଦେଶାଳୟର ସହଯୋଗରେ ପୋଲିସ-ପ୍ରସିକ୍ୟୁସନ୍ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଓ ସରକାରୀ ଓକିଲଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ, ମାମଲାର ତ୍ୱରିତ ବିଚାର ଏବଂ ନ୍ୟାୟ ପ୍ରଦାନକୁ ଅଧିକ ପ୍ରଭାବଶାଳୀ କରିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ବୈଠକରେ ଗୁରୁତର ଅପରାଧିକ ମାମଲାର ତଦନ୍ତ, ମାମଲା ପ୍ରସ୍ତୁତି, ଅଭିଯୋଜନା ପ୍ରକ୍ରିୟା ଓ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ବୃତ୍ତିଗତ ତଦନ୍ତ, ମଜବୁତ ପ୍ରମାଣ ସଂଗ୍ରହ ଏବଂ ପ୍ରଭାବଶାଳୀ ଅଭିଯୋଜନା ମାଧ୍ୟମରେ ନ୍ୟାୟ ପ୍ରଦାନକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ୨୦ଟି ଗୁରୁତର ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୧ ଜଣ ପୋଲିସ ଅଧିକାରୀ ଓ ୨୩ ଜଣ ସରକାରୀ ଓକିଲଙ୍କୁ ସମ୍ମାନିତ କରାଯାଇଥିଲା।

ଅନୁଗୋଳ ଜିଲ୍ଲା ପୋଲିସର ଏହି ସଫଳତା ତଦନ୍ତ ଓ ଅଭିଯୋଜନା ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟର ଏକ ଉଦାହରଣ। ଆଗାମୀ ଦିନରେ ମଧ୍ୟ ଅପରାଧିକ ମାମଲାରେ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ଓ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଇବା ଦିଗରେ ପୋଲିସ ଓ ଅଭିଯୋଜନା ବିଭାଗର ମିଳିତ ପ୍ରୟାସ ଜାରି ରହିବ।

Leave a Reply

Your email address will not be published. Required fields are marked *