Spread the love

ଆମେରିକା ନାଟୋକୁ ଏକ ବଡ଼ ଝଟକା ଦେଇଛି। ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ, ସହଯୋଗୀ ଦେଶ ଜର୍ମାନୀରୁ ୫ ହଜାର ସୈନିକ ପ୍ରତ୍ୟାହାର କରାଯିବ। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜର୍ମାନ ଚାନ୍ସେଲରଙ୍କ ମନ୍ତବ୍ୟ ଯୋଗୁଁ ୟୁରୋପରରେ ବିରୋଧୀ ସ୍ବର ଉଠିବାରେ ଲାଗିଛି। ଟ୍ରମ୍ପ ଏବଂ ଜର୍ମାନ ଚାନ୍ସେଲରଙ୍କ ମଧ୍ୟରେ ବିତର୍କ ପରେ ପେଣ୍ଟାଗନ ଏହି ପଦକ୍ଷେପ ନେଇଛି।

ସେନା ପ୍ରତ୍ୟାହାର ପ୍ରକ୍ରିୟା ଛଅରୁ ୧୨ ମାସ ମଧ୍ୟରେ ସମାପ୍ତ ହେବ। ପେଣ୍ଟାଗନର ଏହି ପଦକ୍ଷେପ ଦ୍ବାରା ୟୁରୋପରେ ଆମେରିକୀୟ ସୈନ୍ୟ ସଂଖ୍ୟା ୨୦୨୨ ପୂର୍ବ ସ୍ତରକୁ ଫେରାଇ ଆଣାଯିବ।ୟୁକ୍ରେନରେ ରୁଷର ଆକ୍ରମଣ ପରେ, ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଥିଲେ। ତେବେ ଆମେରିକା ଏବେ ସେହି ନିଷ୍ପତ୍ତିଗୁଡ଼ିକୁ ବଦଳାଉଛି। ଏହି ବିବାଦର ମୁଖ୍ୟ କାରଣ ହେଉଛି ରାଷ୍ଟ୍ରପତି ଟ୍ରମ୍ପ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ମଧ୍ୟରେ ଇରାନ ଯୁଦ୍ଧ ସମ୍ପର୍କରେ ହୋଇଥିବା ଏକ ଉଷ୍ମ ବିତର୍କ। ଏହି ବିତର୍କ ପରେ,ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ଧମକ ଦେଇଥିଲେ।ଆମେରିକାର ଏହି ନିଷ୍ପତ୍ତି ୟୁରୋପ ଏବଂ ନାଟୋ ଦେଶମାନଙ୍କ ପାଇଁ ଏକ ଅତ୍ୟନ୍ତ କଠୋର କୂଟନୈତିକ ପଦକ୍ଷେପ ତଥା କଠୋର ବାର୍ତ୍ତା। ପେଣ୍ଟାଗନର ଏହି ପଦକ୍ଷେପ ୟୁରୋପରେ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।ମର୍ଜ ଇରାନ ଯୁଦ୍ଧ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା କରିବାକୁ କହି ଆମେରିକାକୁ ଇରାନ ବାରମ୍ବାର ଅପମାନିତ କରୁଛି। ଟ୍ରମ୍ପ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ, ମର୍ଜଙ୍କୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ଉପରେ ଧ୍ୟାନ ଦେବା ଉଚିତ। ସେ ନିଜ ଦେଶକୁ ସଜାଡ଼ିବା ଉପରେ ଧ୍ୟାନ ଦେବା ଉଚିତ। ସେ ଇରାନ ଯୁଦ୍ଧକୁ ନେଇ ନିଜର ସମୟ ନଷ୍ଟ କରିବା ଉଚିତ ନୁହେଁ। ପେଣ୍ଟାଗନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜର୍ମାନୀର ସାମ୍ପ୍ରତିକ ବୟାନବାଜି ଅତ୍ୟନ୍ତ ଅନୁପଯୁକ୍ତ। ସେ ଏହା ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ନାଟୋ ଦେଶଗୁଡ଼ିକରୁ ସେନା ପ୍ରତ୍ୟାହାର କରି ଏହି ମନ୍ତବ୍ୟଗୁଡ଼ିକର ଉପଯୁକ୍ତ ଜବାବ ଦେଉଛନ୍ତି।ଜର୍ମାନୀରେ ୟୁରୋପରେ ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି ରହିଛି ଏବଂ ଜର୍ମାନୀ ନାଟୋର ଏକ ପ୍ରମୁଖ ସଦସ୍ୟ। ବର୍ତ୍ତମାନ, ପ୍ରାୟ ୩୫ ହଜାର ସୈନ୍ୟ ସେଠାରେ ମୁତୟନ ଅଛନ୍ତି। ଏହା ଏକ ପ୍ରମୁଖ ତାଲିମ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରେ। ଗତ କିଛି ମାସ ଧରି, ଜର୍ମାନୀ ଏବଂ ନାଟୋ ଟ୍ରମ୍ପଙ୍କ ନଜରରେ ଅଛନ୍ତି। ଇରାନ ଯୁଦ୍ଧ ସମୟରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ସେମାନଙ୍କର ନୌସେନା ନ ପଠାଇବାରୁ ଟ୍ରମ୍ପ ତାଙ୍କ ୟୁରୋପୀୟ ସହଯୋଗୀ ଏବଂ ନାଟୋକୁ କଡ଼ା ସମାଲୋଚନା କରିଥିଲେ।


Leave a Reply

Your email address will not be published. Required fields are marked *