Spread the love

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ

ଗିରଫ ବେଳେ କାରଣ ନ ଜଣାଇବାକୁ ନେଇ ପୁଲିସ ଉପରେ କ୍ଷୁବ୍ଧ ଅଦାଲତ

କଟକ/ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଗିରଫ ସମୟରେ ତାଙ୍କୁ ଗିରଫର ଆଧାର ଓ କାରଣ ସମ୍ପର୍କରେ ଅବଗତ କରାଯାଇନଥିବା ଅଦାଲତଙ୍କ ନଜରକୁ ଆସିଥିଲା।

ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ସମ୍ବିଧାନର ଧାରା ୨୨(୧) ଅନୁସାରେ ଗିରଫ ବ୍ୟକ୍ତିଙ୍କୁ ଗିରଫର କାରଣ ଜଣାଇବା ତାଙ୍କର ମୌଳିକ ଅଧିକାର। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୪୭ ଓ ୪୮ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ବ୍ୟବସ୍ଥା ପାଳନ କରିବା ଆବଶ୍ୟକ। କିନ୍ତୁ ବିକ୍ରମ ପଣ୍ଡାଙ୍କ ଗିରଫ ସମୟରେ ଏହାର ଠିକ୍ ଭାବେ ପାଳନ କରାଯାଇନଥିବା ଅଦାଲତ କହିଛନ୍ତି।

ଏଭଳି ଗିରଫଦାରୀକୁ ଅବୈଧ ଦର୍ଶାଇ ହାଇକୋର୍ଟ ବିକ୍ରମ ପଣ୍ଡାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୁଲିସ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

ସୁପ୍ରିମକୋର୍ଟଙ୍କ ‘ଭିହାନ କୁମାର’ ଓ ‘ମିହିର ରାଜେଶ ଶାହା’ ମାମଲାର ରାୟ ପରେ ମଧ୍ୟ ଗିରଫ ସମୟରେ ବାଧ୍ୟତାମୂଳକ ଆଇନଗତ ପ୍ରକ୍ରିୟା ପୁଲିସ ପକ୍ଷରୁ ଠିକ୍ ଭାବେ ପାଳନ କରାଯାଉନଥିବା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

ଏହି ରାୟର ନକଲ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କ ନିକଟକୁ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାୟର ନକଲ ପାଇବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଗିରଫ ସମ୍ପର୍କିତ ଆଇନଗତ ମାର୍ଗଦର୍ଶିକା ବିଷୟରେ ରାଜ୍ୟର ସମସ୍ତ ଥାନାକୁ ଅବଗତ କରାଇବାକୁ କୁହାଯାଇଛି।

ଜାମିନ ପାଇଁ ରହିଛି କଡ଼ା ସର୍ତ୍ତ

ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଥିଲେ ମଧ୍ୟ ଅଦାଲତ କିଛି ସର୍ତ୍ତ ଲାଗୁ କରିଛନ୍ତି। ଜାମିନରେ ମୁକ୍ତ ହେବା ପରେ ସେ ପୀଡ଼ିତ ପରିବାର, ଏତଲାକାରୀ କିମ୍ବା ଅନ୍ୟ ପ୍ରସିକ୍ୟୁସନ୍ ସାକ୍ଷୀଙ୍କୁ କୌଣସି ପ୍ରକାର ଧମକ, ନିର୍ଯାତନା କିମ୍ବା ଭୟଭୀତ କରିପାରିବେ ନାହିଁ। ଏହି ସର୍ତ୍ତ ଉଲ୍ଲଂଘନ ହେଲେ ଜାମିନ ବାତିଲ ହୋଇପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

୨୦୨୫ ଅକ୍ଟୋବରରେ ହୋଇଥିଲା ହତ୍ୟା

ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ଅକ୍ଟୋବର ୬ ରାତିରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା ବୈଦ୍ୟନାଥପୁର ଥାନା ପୁଲିସ ୨୦୨୫ ଅକ୍ଟୋବର ୨୨ରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା।

୨୦୨୬ ଜାନୁଆରି ୩ରେ ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଜୁଲାଇ ୧ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇଥିଲା। ପୁଲିସ ଚାର୍ଜସିଟ୍‌ରେ ହତ୍ୟା, ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ ଓ ସଂଗଠିତ ଅପରାଧ ଭଳି ସଙ୍ଗିନ ଦଫା ଲଗାଇଥିଲା। ବିକ୍ରମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଥିବା ସହ ପୁଲିସ ଡିଜିଟାଲ ପ୍ରମାଣ ମଧ୍ୟ ଦାଖଲ କରିଥିଲା।

ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ବିକ୍ରମ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ସୁବୀର ପାଲିତ ମାମଲା ପରିଚାଳନା କରିଥିଲେ।

ଅନ୍ୟପକ୍ଷରେ ବିକ୍ରମ ପଣ୍ଡାଙ୍କ ବାପା କିଶୋର ପଣ୍ଡା ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରି କହିଛନ୍ତି ଯେ, ତାଙ୍କ ପୁଅକୁ ଷଡ଼ଯନ୍ତ୍ର କରି ଫସାଯାଇଥିଲା। ଦୀର୍ଘ ପ୍ରାୟ ୧୦ ମାସ ପରେ ପୁଅକୁ ଦେଖିବାକୁ ପାଇବା ନେଇ ସେ ଖୁସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *