Spread the love

ରାଜ୍ୟରେ ଦୁର୍ନୀତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୂଚନା ମୁତାବକ, ଅଙ୍ଗନୱାଡ଼ି ସୁପରଭାଇଜର ରେଣୁକା ପଟ୍ଟନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ଏହି ମାମଲାକୁ ନେଇ ଅଧିକ ଛାନଭିନ୍ କରାଯାଉଛି ।ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହିଳା ସୁପରଭାଇଜର ରେଣୁକା ପଟ୍ଟନାୟକ ଲକ୍ଷ୍ମୀପୁର ବ୍ଲକରେ ନୂଆ କରି ଅଙ୍ଗନବାଡ଼ିରେ ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ତାଙ୍କୁ କାମରେ ହଇରାଣ କରିବେ ବୋଲି ଧମକ ଦେଇଥିଲେ।ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍ ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ଧରିଥିଲା। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *