Spread the love

ଭିନ୍ନକ୍ଷମ ଛାତ୍ରୀ ପ୍ରମିଳା ମୁଣ୍ଡାଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ, ତା 26/05/2023ରିଖ.
ତାଳଚେର ବ୍ଲକ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀ କୁମାରୀ ପ୍ରମିଳା ମୁଣ୍ଡା ନିଜର ଅସୀମ ସାହସ, ଅଧ୍ୟବସାୟ ଓ ପ୍ରଚେଷ୍ଟା ବଳରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 600 ନମ୍ବରରୁ ମୋଟ 346 ନମ୍ବର ରଖି ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବାରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମିଳାଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଅଭିନନ୍ଦନ ଜଣାଇ ଥିଲେ ଏବଂ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ. ମାତା ଶ୍ରୀମତୀ ଗୁରୁବାରୀ ମୁଣ୍ଡା ଓ ପିତା ନିର ମୁଣ୍ଡାଙ୍କ ସେ ଜ୍ୟେଷ୍ଠ କନ୍ୟା ଅଟନ୍ତି, ତାଙ୍କ ତଳେ ଆଉ ଦୁଇଟି ଛୋଟ ଛୋଟ ଭାଇ ଅଛନ୍ତି. ପ୍ରମିଳା ଷଷ୍ଠ ଶ୍ରେଣୀରେ ପଢୁଥିଲାବେଳେ ସ୍କୁଲ ଛୁଟି ପରେ ଡେରା ଓଭର ବ୍ରିଜ ତଳେ ରେଳ ଲାଇନ ଅତିକ୍ରମ କରୁଥିବା ସମୟରେ ରେଳ ଦୁର୍ଘଟଣାରେ ତାଙ୍କର ଡାହାଣ ପାଖ ଗୋଡ଼ଟି କଟି ଯାଇଥିଲା. ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ କଟକ ଏସ ସି ବି ମେଡିକାଲରେ ଚିକିତ୍ସା କରାଯାଇଥିଲା. ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସମାଜ ମଙ୍ଗଳ ବିଭାଗ ତରଫରୁ ତାଙ୍କର ଦୁଇଥର କୃର୍ତିମ ଗୋଡ଼ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି. ଏହି ସବୁ କାର୍ଯ୍ୟ ତାଳଚେରର ସମାଜସେବି ଶ୍ରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ପ୍ରଚେଷ୍ଟା ବଳରେ ସମ୍ଭବ ହୋଇଥିବାରୁ ପ୍ରମିଳାଙ୍କ ବାପା ମା ଆଶୀର୍ବାଦ କରିବା ସହ ଅଞ୍ଚଳବାସୀ ମଧ୍ୟ କ୍ଷୀରୋଦଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି.ଭବିଷ୍ୟତରେ ସେ ଜଣେ ଭଲ ଶିକ୍ଷୟତ୍ରୀ ହେବେ ବୋଲି ଆଶା ପୋଷଣ କରିଛନ୍ତି.

କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅନୁଗୋଳ.

Leave a Reply

Your email address will not be published. Required fields are marked *