Spread the love

୫୦ ବର୍ଷର ବସତି ଓ ବାଲିଆ ମାର୍କେଟ ଉଚ୍ଛେଦ ନୋଟିସକୁ ବିରୋଧ

ଥଇଥାନ ଓ ବିକଳ୍ପ ବ୍ୟବସ୍ଥା ଦାବିରେ ମୁହଁ ଖୋଲିଲେ ବାସିନ୍ଦା ଓ ବ୍ୟବସାୟୀ

ବଅଁରପାଳ: ଦଶନ୍ଧି ଦଶନ୍ଧି ଧରି ଯେଉଁଠି ଘରସଂସାର ଓ ଜୀବିକା ଗଢ଼ିଉଠିଛି, ସେହି ଅଞ୍ଚଳ ଏବେ ଉଚ୍ଛେଦ ଆଶଙ୍କାରେ। କନ୍ୟାବେଢା ହରିଜନ ସାହି ବସ୍ତି ଏବଂ ବାଲିଆ ମାର୍କେଟ ଭାଙ୍ଗିବା ନେଇ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁଯାୟୀ, ୫୦ ବର୍ଷରୁ ଅଧିକ ସମୟ ଧରି ଅନେକ ପରିବାର ଏଠାରେ ବସବାସ କରିଆସୁଛନ୍ତି। କେତେକ ପରିବାର ନିୟମିତ ଖଜଣା ଦେଉଥିବାବେଳେ, ବହୁ ବ୍ୟବସାୟୀ ଦୀର୍ଘଦିନ ଧରି ମାର୍କେଟରେ ଦୋକାନ କରି ପରିବାର ଚଳାଇ ଆସୁଛନ୍ତି।

ଲୋକଙ୍କ କହିବାନୁସାରେ, ଏଠାକାର ଅନେକ ପରିବାରଙ୍କ ପାଖରେ ଭୋଟର ପରିଚୟପତ୍ର, ଆଧାର, ବିଦ୍ୟୁତ ସଂଯୋଗ ଭଳି ବିଭିନ୍ନ ସରକାରୀ ଦସ୍ତାବିଜ ଓ ସୁବିଧା ରହିଛି। କିଛି ପରିବାର ସରକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇଥିବା ଦାବି କରାଯାଇଛି।

ଏଭଳି ସ୍ଥିତିରେ ଉଚ୍ଛେଦ ନୋଟିସ ଜାରି ହେବାକୁ ନେଇ ଚିନ୍ତା ବଢ଼ିଛି। ପ୍ରଥମେ ଥଇଥାନ, ବିକଳ୍ପ ଜମି/ବାସସ୍ଥାନ ଏବଂ ବ୍ୟବସାୟୀଙ୍କ ଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ, ତା’ପରେ ଉଚ୍ଛେଦ ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟମାନେ ଦାବି କରିଛନ୍ତି।

ନୋଟିସକୁ ବିରୋଧ କରି ବାସିନ୍ଦା ଓ ବ୍ୟବସାୟୀମାନେ ପ୍ରତିବାଦ ଜଣାଇଥିବା ବେଳେ, ପ୍ରଶାସନ ଏହି ମାମଲାରେ କି ପଦକ୍ଷେପ ନେଉଛି ଏବଂ ପ୍ରଭାବିତ ପରିବାରଙ୍କ ଥଇଥାନ ନେଇ କି ବ୍ୟବସ୍ଥା କରାଯିବ, ତାହା ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *