ବଡ଼ବିଲ ଭୋଳା ଗ୍ୟାରେଜ ନିକଟରୁ ରେଳ ବିଭାଗ କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ତଥା ବଡବିଲ ପୌରାଞ୍ଚଳ ଭୋଳା ଗ୍ୟାରେଜ ନିକଟରେ ଜଣେ ବ୍ୟକ୍ତି ପଡିଥିବା ଦେଖି ସ୍ଥାନୀୟ ଲୋକେ ବଡବିଲ ପୋଲିସ୍ କୁ ଖବର ଦେଇଥିଲେ ଖବର ପାଇ ବଡବିଲ ପୋଲିସ୍ ପକ୍ଷରୁ ଏସଆଇ ଆଲୋକ ରଞ୍ଜନ ପରିଡ଼ା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣକ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ବ୍ୟକ୍ତି ଜଣକ କାନ୍ଧରେ ଗୋଟିଏ ବ୍ୟାଗ୍ ଥିବା ଦେଖିବାକୁ ମିଳିଥିଲା, ସେ ବଡବିଲ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିବା ଅନୁମାନ କରି ଶ୍ରୀ ପରିଡ଼ା ସଙ୍ଗେ ସଙ୍ଗେ ଅଞ୍ଚଳ ଲୋକଙ୍କୁ ଉକ୍ତ ବ୍ୟକ୍ତି ବିଷୟରେ ପଚାରି ବୁଝିଥିଲେ। କୌଣସି ପ୍ରକାରର ସନ୍ତୋଷ ଜନକ ତଥ୍ୟ ନ ପାଇବାରୁ ସେ ତାଙ୍କ କର୍ମଚାରୀଙ୍କ ସହଯୋଗରେ ଉକ୍ତ ବ୍ୟକ୍ତିର ବ୍ୟାଗ୍ କୁ ତଲାସି କରି ତାଙ୍କ ବ୍ୟାଗ୍ ରୁ ଏକ ଆଇଡେଣ୍ଟି କାର୍ଡ ପାଇଥିଲେ। ଯେଉଁଥିରେ ଉକ୍ତ ବ୍ୟକ୍ତି ଙ୍କ ପରିଚୟ ମିଳିଥିଲା। ସେ ଜଣେ ରେଳ ବିଭାଗ ପିଅନ କର୍ମଚାରୀ ଏବଂ ତାଙ୍କ ନାମ ରବୀନ୍ଦ୍ର ନାଥ ସିଂ ଓ ସେ ଦକ୍ଷିଣପୂର୍ବ ରେଳବାଇର ଇଲେକ୍ଟ୍ରିକାଲ ବିଭାଗର ପିଅନ କର୍ମଚାରୀ ବୋଲି ଜଣାପଡିଛି। ରାସ୍ତାରେ ଯିବା ସମୟରେ ହୃଦ୍ ଘାତ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବଡବିଲ ପୋଲିସ୍ ମୃତ ବ୍ୟକ୍ତିଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




