
କୋରଙ୍ଗାରେ ପୁଣି ଜୋରଦାର ଅବକାରୀ ଚଢାଉ :
ବିପୁଳ ପୋଚ ଓ ମଦ ଜବତ, ଜଣେ ଗିରଫ
ଜେ. ବି. ଏନ୍ ( ୧୧/୧୨ /୨୦୨୦)
ଆଠଗଡ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶୋର ଓ ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସକାଳେ ପୁନର୍ବାର ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଜୋରଦାର ଚଢାଉ କରାଯାଇ ବିପୁଳ ପୋଚ ଓ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଆଜାଦ୍ ମହମ୍ମଦ୍, ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲା ଓ ନିରୀକ୍ଷକ ଅନିତା ପ୍ରଧାନଙ୍କ ନେତୃତ୍ୱରେ ବହୁ ଅବକାରୀ ଓ ପୁଲିସ ଫୋର୍ସ ଚଢାଉରେ ଅଂଶଗ୍ରହଣ କରିଥିବାବେଳେ ଆଠଗଡ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିଲେ। କୋରଙ୍ଗା ଗ୍ରାମ ସନ୍ନିକଟ ଚାଷଜମି, ଝାଟିଜଙ୍ଗଲ ଓ ନାଳ କଡେ କଡେ ଗଢି ଉଠିଥିବା ୮ଟି ମଦଭାଟି ଉପରେ ଚଢାଉ କରାଯାଇ ସେଗୁଡିକୁ ଭାଙ୍ଗିରୁଜି ଦିଆଯାଇଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ ମଦପ୍ରସ୍ତୁତି ପାଇଁ ଶହ ଶହ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୭୫୦୦ଲିଟର ଗୁଡପୋଚ ଏବଂ ସଦ୍ୟ ପ୍ରସ୍ତୁତ ୧୫ଲିଟର ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ମଦପ୍ରସ୍ତୁତି ରେ ସଂପୃକ୍ତ ବହୁ ମଦ ମାଫିଆ ଚମ୍ପଟ ମାରିଥିବା ବେଳେ ସହାୟତା କରୁଥିବା ମାନସ କଅଁର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗତ ଏକ ମାସ ମଧ୍ୟରେ କେବଳ କୋରଙ୍ଗାରେ ୪ଥର ଅବକାରୀ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ପ୍ରାୟ ୩୦ହଜାର ଲିଟରରୁ ଅଧିକ ଗୁଡପୋଚ ଓ ଶତାଧିକ ଲିଟର ମଦ ଜବତ କରାଯାଇଥିଲେ ମଧ୍ୟ ସେଠାରେ କୁଟୀରଶିଳ୍ପ ଭାବେ ଗଢି ଉଠିଥିବା ମଦପ୍ରସ୍ତୁତି ଓ ଚାଲାଣ ପ୍ରକ୍ରିୟାକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ପାରୁନାହିଁ। ଏହି ଚଢାଉରେ ଅବକାରୀ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଥାର୍ପା ମାରାଣ୍ଡି, ଟେଲିସ୍ଫୋର ଲାକ୍ରା, ଲକ୍ଷ୍ମୀପ୍ରିୟା ସିଂହ, ଶୁଭେନ୍ଦୁ କୁମାର ପୁହାଣ, ମାଗୁଣି ଚରଣ ମାଝିଙ୍କ ସମେତ ବହୁ ଅବକାରୀ ଅଧିକାରୀ/କର୍ମଚାରୀ ଏବଂ ପୁଲିସ ଏପିଆର ଫୋର୍ସ ଅଂଶଗ୍ରହଣ କରିଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

