Spread the love

ଆରମ୍ଭ ହେଲା ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ
ତାଳଚେର, ୨୧/୧୧ ପବିତ୍ର କାର୍ତିକ ପଞ୍ଚୁକ ପାଳନ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ପାଞ୍ଚ ଦିନ ବ୍ୟାପୀ ୪୧ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗୁରୁବାର ଦିନ ଚାରିଶହରୁ ଉର୍ଦ୍ଧ୍ୱ ମହିଳା ଶ୍ରଦ୍ଧାଳୁ ନିକଟସ୍ଥ ସିଙ୍ଗଡ଼ା ନଦୀରୁ ପବିତ୍ର ଜଳ କଳସକୁ ଏକ ଭବ୍ୟ ଶୋଭାଯାତ୍ରାରେ ଆଣି ମା ହିଙ୍ଗୁଳାଙ୍କ ପୀଠ ପରିସରରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ମାର୍କଣ୍ଡ ଚନ୍ଦ୍ର ଦାଶ, ବନବିହାରୀ ଦାଶ, ସୁବାସ ଚନ୍ଦ୍ର ନନ୍ଦ, ପବିତ୍ର ମୋହନ ନାଥ, ସୁରେଶ ଚନ୍ଦ୍ର ଧର, ସନ୍ଦେଶ କୁମାର ପାଣିଗ୍ରାହୀ, ସୁଗ୍ରୀବ କୁମାର କର, ହୃଦୟ ଚନ୍ଦ୍ର ଶତପଥୀ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । ଯଜ୍ଞକର୍ତା ଭାବରେ ଲଲାତେନ୍ଦୁ ଗଡ଼ନାୟକ ଓ ତାଙ୍କ ଧର୍ମପତ୍ନୀ ଶର୍ମିଷ୍ଠା ଦାସ, ସଞ୍ଜୟ ସାହୁ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳୀ ସାହୁ, କରୁଣାକର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ଭଞ୍ଜ, ତପନ କୁମାର ଗଡ଼ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆଜି ପୀଠ ପରିସରରେ ସୂର୍ଯ୍ୟ ପୂଜା, ଯଜ୍ଞାଧିବାସ, ସର୍ବ ଦେବଦେବୀଙ୍କ ଆବାହନ, ଲକ୍ଷ୍ମୀ ମହାବିଦ୍ୟା ଆଦି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ କରା ଯାଇଅଛି । ଶନିବାର ଦିନ ଦଶ ମହାବିଦ୍ୟା ଓ ଗୀତାଯଜ୍ଞ, ରବିବାର ଦିନ ନବଗ୍ରହ ପୂଜା ଓ ଗ୍ରହଯଜ୍ଞ,ସୋମବାର ଦିନ ମହାରୁଦ୍ରାଭିଷେକ ଓ ରୁଦ୍ର ମହାଯଜ୍ଞ, ମଙ୍ଗଳବାର ଦିନ ଚଣ୍ଡୀ ପୂଜା, ସପ୍ତସତୀ ଚଣ୍ଡୀ ମହାଯଜ୍ଞ, ମା ହିଙ୍ଗୁଳାଙ୍କ ପୂଜା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଯଜ୍ଞ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଅଛି । ସୂଚନାଯୋଗ୍ୟ ଯେ- ଦୀର୍ଘ ୪୦ ବର୍ଷ ହେଲା ଏହି ଯଜ୍ଞ ନିରବିଚ୍ଛନ୍ନ ଭାବରେ ମା ହିଙ୍ଗୁଳା ବିଶ୍ୱଶାନ୍ତ ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଅଛି ।

Leave a Reply

Your email address will not be published. Required fields are marked *