ପ୍ରଜାମଣ୍ଡଳ ଭବନର ରକ୍ଷଣାବେକ୍ଷଣ ଓ ଟ୍ରଷ୍ଟ ବୋର୍ଡ଼ ଗଠନ ନେଇ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର
ତାଳଚେର,୨୧/୧୧: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କୁ ଚିର ସ୍ମରଣ କରି ତାଙ୍କ ଅବଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ବିଶାଳ ପ୍ରଜାମଣ୍ଡଳ ଭବନର ସଠିକ୍ ରକ୍ଷଣାବେକ୍ଷଣ ଏବଂ ଏଥିପାଇଁ ଏକ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ସକାଶେ ସ୍ଥାନୀୟ ଜନସାଧାରଣ ଏବଂ ଜନବିକାଶ କଲ୍ୟାଣ ସଙ୍ଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞା ନନ୍ଦନ ଗିରିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ମାଟି ପାଇଁ ନିଜକୁ ବଳିଦାନ ଦେଇଥିବା ତାଳଚେର ଅଞ୍ଚଳର ବୀର ପୁରୁଷଙ୍କ ଉଦ୍ଦେଶ୍ୟରେ ଏହି ଭବନକୁ ସମର୍ପିତ କରାଯିବା ସହ ନବ ନିର୍ମିତ ପ୍ରଜାମଣ୍ଡଳ ଭବନରେ ସଂଗ୍ରାମୀଙ୍କ ଫୋଟଚିତ୍ର ଓ ସନ୍ତକ ସାଇତା ରଖାଯାଉ ବୋଲି ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଯଦ୍ୱାରା ଆଗାମୀ ପିଢୀ ପ୍ରଜାମଣ୍ଡଳ ଭବନ ଆସିଲେ ତାଳଚେର ମାଟିର ବୀର ପୁରୁଷଙ୍କ ବଳିଦାନ କୀର୍ତି ଏବଂ ଗୌରବନୌତ ଇତିହାସ ମନେ ପକାଇ ନିଜ ପୂର୍ବଜଙ୍କୁ ନେଇ ଗର୍ବ ଅନୁଭବ କରିବା ସହିତ ଅନୀତି ଅତ୍ୟାଚାର ବିରୋଧ ସ୍ୱରଉତ୍ତାଳନ କରିବା ପାଇଁ ପ୍ରେରଣା ପାଇପାରିବେ। ସୂଚନାଯୋଗ୍ୟ, ୧୯୯୭ ମସିହାରେ ପ୍ରଜାମଣ୍ଡଳ ଆନ୍ଦୋଳନର ସ୍ମୃତିରେ ମୂଳ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୨୦୦୪ ମସିହା ଜାନୁଆରୀ ୫ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ତେବେ ଉକ୍ତ ପ୍ରଜାମଣ୍ଡଳ ଭବନ ପ୍ରଶାସନିକ ଓ ରାଜନୈତିକ ଇଛାଶକ୍ତି ଅଭାବ ହେତୁ ସଠିକ ଭାବେ ରକ୍ଷଣାବେକ୍ଷଣ ନହେବା ହେତୁ ମାତ୍ର ବର୍ଷ କେଇଟାରେ ମାଟିରେ ମିଶିଥିଲା । ଏଣୁ ବର୍ତ୍ତମାନ ଇତିହାସର ପୁନରାବୃତ୍ତି ନହେଉ । ଉକ୍ତ ପ୍ରସଙ୍ଗକୁ ଗୁରୁତର ସହ ନେଇ ନବ ନିର୍ମିତ ପ୍ରଜାମଣ୍ଡଳ ଭବନର ରକ୍ଷଣା ବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ପ୍ରଶାସନିକ ସ୍ତରରେ ଅଞ୍ଚଳର ଯୋଗ୍ୟ ବ୍ୟକ୍ତିଙ୍କୁ ନେଇ ଏକ ଟ୍ରଷ୍ଟବୋର୍ଡ଼ ଗଠନ କରା ଯାଇ ଟ୍ରଷ୍ଟବୋର୍ଡ଼ ହାତରେ ନ୍ୟସ୍ତ କରା ଯାଉ ବୋଲି ତାଳଚେରର ଜନସାଧାରଣ ଏବଂ ଜନବିକାଶ କଲ୍ୟାଣ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି। ଜନବିକାଶ କଲ୍ୟାଣ ସଙ୍ଘର ସଭାପତି ଭୂପେନ ଥମ୍ୱ, ସମ୍ପାଦକ ଦୃମଦ କୁମାର ପ୍ରଧାନ, ରାଜ କିଶୋର ସାହୁ, ଦାଶରଥି ସାହୁ, ଉପେନ୍ଦ୍ର ପରିଡ଼ା, ପ୍ରଦ୍ୟୁମ୍ନ ଦାସ, ଜ୍ୟୋତି ରଞ୍ଜନ ଦାସ, ପ୍ରକାଶ ସାହୁ, କେଶବ ଭୁତିଆ, ଚୈତନ୍ୟ ପ୍ରଧାନ ଜିନେଶ ସାହୁ ପ୍ରମୁଖଙ୍କ ତରଫରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଛି। ସେହିପରି ଏହି ପତ୍ରର ଏକକିତା ନକଲ ତାଳଚେର ବିଧାୟକ, ଢେଙ୍କାନାଳ ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କୁ ପ୍ରେରଣ କରାଯାଇଛି।
