Spread the love

ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: ଜମି ଦେବା ନାଁରେ ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ ଅଜିତ କୁମାର ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଶୁକ୍ରବାର ସନ୍ଧ୍ୟାରେ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ତାଙ୍କୁ ଗିରଫ କରାଯାଇଛି।

ପୋଲିସ ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଜମି ଯୋଗାଇଦେବା ପାଇଁ ଅଜିତ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି। ତେବେ ପ୍ରତିଶ୍ରୁତି ଅନୁଯାୟୀ ଜମି ମିଳିନଥିବାରୁ ସୁଜିତ ଟଙ୍କା ଫେରସ୍ତ ଦାବି କରିଥିଲେ। କିନ୍ତୁ ଟଙ୍କା ଫେରାଇବାରେ ଅଜିତ ବିଳମ୍ବ କରିବାରୁ ୨୦୨୪ରେ ସୁଜିତ ଦିଲ୍ଲୀର ତୁଗଲକ ଥାନାରେ ଅଭିଯୋଗ କରିଥିଲେ।

ମାମଲାର ତଦନ୍ତ ପରେ ଦିଲ୍ଲୀ ପୋଲିସ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା। ଏହାପରେ ଦିଲ୍ଲୀର ପଟିଆଲା କୋର୍ଟ ପକ୍ଷରୁ ଅଜିତଙ୍କୁ ହାଜର ହେବା ପାଇଁ ଏକାଧିକ ଥର ନୋଟିସ ଜାରି କରାଯାଇଥିଲା। ହେଲେ ସେ କୋର୍ଟରେ ହାଜର ହୋଇନଥିଲେ। ନୋଟିସ ଗ୍ରହଣ ନକରିବା ଅଭିଯୋଗ ମଧ୍ୟ ରହିଛି।

ପରେ କୋର୍ଟ ଅଜିତଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଥିଲେ। ଅଜିତ ଭୁବନେଶ୍ୱର ନୟାପଲ୍ଲୀ ନୂଆସାହି ଅଞ୍ଚଳରେ ରହୁଥିବାରୁ ତାଙ୍କୁ ଗିରଫ କରିବା ପାଇଁ ନୟାପଲ୍ଲୀ ଥାନା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା।

ୱାରେଣ୍ଟ ଆଧାରରେ ନୟାପଲ୍ଲୀ ପୋଲିସ ଶୁକ୍ରବାର ସନ୍ଧ୍ୟାରେ ଅଜିତଙ୍କୁ ଗିରଫ କରିଛି। ତାଙ୍କୁ ଦିଲ୍ଲୀ ନେଇ ପଟିଆଲା କୋର୍ଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *