Spread the love

ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମନା । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କମିଶନରଙ୍କ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ । ସେହିପରି ପୁରୁଣା ଜରିମାନା ଭରଣା ନକଲେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତା ଉପରୁ ଦ୍ୱନ୍ଦ୍ୱ ହଟୁ ବୋଲି କହିଛନ୍ତି ହାଇକୋର୍ଟ । । ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି ।

ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ଗାଡିର ଇନ୍ଧନ ମିଳିବ ନାହିଁ ଏବଂ ସାର୍ଟିଫିକେଟ୍ ହାସଲ କରିବାକୁ ହେଲେ ସମସ୍ତ ପୁରୁଣା ଜରିମାନା ଦେବାକୁ ହେବ ବୋଲି ପରିବହନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ଚ୍ୟାଲେଞ୍ଜ କରି ଭୁବନେଶ୍ୱର ବାସିନ୍ଦା ସ୍ନିଗ୍ଧା ପାତ୍ର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଦାୟର ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ, ଯଦି କେହି ଗାଡ଼ି ଚାଳକ ନିର୍ଦ୍ଧିଷ୍ଟ ସମୟ ଭିତରେ ପ୍ରଦୂଷଣ ପ୍ରମାଣପତ୍ର କରିପାରିନାହାନ୍ତି । ତେବେ ନିୟମ ଅନୁସାରେ ତାଙ୍କ ଉପରେ ଫାଇନ କରାଯାଇପାରିବ । କିନ୍ତୁ ତେଲ ଦିଆଯିବ ନାହିଁ ବୋଲି କହିବା ଆଇନସଙ୍ଗତ ନୁହେଁ ।ସେହିପରି ପୁରୁଣା ଫାଇନ୍ ଆଦାୟ କରିବା ଲାଗି କାହାକୁ ବାଧ୍ୟ କରାଯିବା ମଧ୍ୟ ବେଆଇନ ବୋଲି ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି । ଏଭଳି ବ୍ୟବସ୍ଥା ନା କେନ୍ଦ୍ରୀୟ ପରିବହନ ଆଇନ ନା ରାଜ୍ୟ ପରିବହନ ଆଇନରେ ରହିଛି । ତେଣୁ ଆଇନର ଉଲ୍ଲଂଘନ କରି ମନଇଚ୍ଛା କୌଣସି ନିୟମ ଲାଗୁ କରିବା ଅସମ୍ବିଧାନିକ, ତେଣୁ ଏପରି ନିୟମକୁ ରଦ୍ଦ କରିବା ଲାଗି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି । ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

Leave a Reply

Your email address will not be published. Required fields are marked *