Spread the love

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାଧୁତା ଶପଥ ପାଠ ।

​ଅନୁଗୋଳ, ତା.୨୭.୧୦:- ସମାଜର ବିଭିନ୍ନ କ୍ଷେତ୍ରରୁ ଦୁର୍ନୀତି ହଟାଇ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବାକୁ ନେଇ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଚଳିତ ବର୍ଷର ବାର୍ତ୍ତା ହେଉଛି “ସାଧୁତାରୁ ସମୃଦ୍ଧି” । ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଆଗେଇ ଆସିବା ସହ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରି ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ପୂର୍ବାହ୍ନରେ ଶପଥ ପାଠ କରାଇଥିଲେ ।

​ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲ୍ ଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ଶ୍ରୀ ଆଶିଷ କୁମାର ସିଂହ ଓ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇ ଶପଥ ପାଠ କରିଥିଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଡେପୁଟି କଲେକ୍ଟର ଶ୍ରୀମତୀ ମଧୁସ୍ମିତା ବିଶି, ଡେପୁଟି କଲେକ୍ଟର ଶ୍ରୀ ଜୟଜିତ ଧଳଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

​ସେହିପରି ଜିଲ୍ଲାର ସମସ୍ତ ଉପଖଣ୍ଡ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଗ୍ରାମ ପଞ୍ଚାୟତ, ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡିକରେ ଶପଥ ପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *