Spread the love

ଆନ୍ତଃର୍ଜାତୀୟ ଯୋଗ ଦିବସ ପାଳିତ

ଚଳିତ ବର୍ଷର ବାର୍ତ୍ତା ହେଉଛି ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ ପାଇଁ ଯୋଗ

ଅନୁଗୋଳ :- ତା.୨୧.୦୬: – ଜିଲ୍ଲା ସ୍ତରୀୟ ଏକାଦଶତମ ଆନ୍ତଃର୍ଜାତୀୟ ଯୋଗ ଦିବସ ୨୦୨୫ଆଜି ପୂର୍ବାହ୍ନରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ସାମୁହିକ ଯୋଗାଭ୍ୟାସରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଉପସ୍ଥିତ ଥିଲେ । ଯୋଗ ଓ ପ୍ରାଣାୟାମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଏକ ନିରୋଗ ଜୀବନଯାପନ କରିବାରେ ସହାୟକ ହୋଇଥାଏ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଏହା ପରେ ପତଞ୍ଜଳୀ ଯୋଗ ସମିତିର ସଭାପତି ତଥା ଯୋଗଗୁରୁ ଶ୍ରୀ ଅଭୟ ରାଏଙ୍କ ସହଯୋଗରେ ବିଭିନ୍ନ ଯୋଗାସନ ଅଭ୍ୟାସ କରାଯାଇଥିଲା । ପରେ ପରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଯୋଗ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏକ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗ ଅଭ୍ୟାସ କରିବା ଦରକାର ଏବଂ ଯୋଗ ଅଭ୍ୟାସର ଉପକାରିତା ସବୁ ବର୍ଗର ଲୋକଙ୍କ ପାଇଁ ଲାଭ ଦାୟକ ବୋଲି କହିଥିଲେ । ସୂଚନା ଥାଉକି ପ୍ରତ୍ୟେକ ବର୍ଷ ଜୁନ୍ ୨୧ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦ ନିଷ୍ପତ୍ତି କ୍ରମେ ୨୦୧୫ ମସିହାରୁ ଯୋଗ ଦିବସ ପାଳିତ ହୋଇ ହୋଇଆସୁଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞନ ସାହୁ, ଜିଲ୍ଲାକ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ, କ୍ରୀଡାବିତ୍,ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏହି ଦିବସ ଜିଲ୍ଲାର ସମସ୍ତ ବ୍ଲକ, ଉପଖଣ୍ଡ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *