Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍‌ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର ସଙ୍କେତ, ଯାହା ଅନ୍ୟ ଦେଶଗୁଡ଼ିକର ପ୍ରଗତିକୁ ଅନୁପ୍ରାଣିତ କରିବ ବୋଲି ଉଲ୍ଲେଖ କରିଛନ୍ତି।

ମୟୂର ଆକୃତିର ସୁସଜ୍ଜିତ ବିଶାଳ ଲୋକ ସଭା ପ୍ରକୋଷ୍ଠରୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନୂତନ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ଲାଗି ନୂଆ ପାର୍ଲାମେଣ୍ଟ ଭବନ ନୂତନ ଭାରତର ଆଶା ଆକାଂକ୍ଷା ଏବଂ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏଠାରେ ନିଆଯିବାକୁ ଥିବା ପ୍ରତ୍ୟେକ ନିଷ୍ପତ୍ତି ଭାରତର ଗୌରବମୟ ଭବିଷ୍ୟତର ମୂଳଦୁଆ ପକାଇବ, ଯାହା ଗରିବ, ଦଳିତ, ପଛୁଆ, ଆଦିବାସୀ, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବ। ଏହି ବିଲ୍ଡିଂର ପ୍ରତି ଇଟା ଓ କାନ୍ଥ ଗରିବମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ନୂତନ ସଂସଦ ଭବନର ସ୍ଥାପତ୍ୟରେ ଭାରତର ବିବିଧତା ଏବଂ ଉନ୍ନତ ସଂସ୍କୃତି ପ୍ରତିଫଳିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ଭୂୟସୀ ପ୍ରଶଂସା କରିଥିଲୋ। ନୂତନ ଭାରତ ଉପନିବେଶୀୟ ମାନସିକତା ତ୍ୟାଗକରି ନୂଆ ଯାତ୍ରା ଆରମ୍ଭ କରିଛି। ଆଗାମୀ ୨୫ ବର୍ଷରେ ଅର୍ଥାତ୍‌ ୨୦୪୭ରେ ଭାରତ ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ। ୧୯୨୨ରେ ଶେଷ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଏବଂ ଦେଶର ସ୍ବାଧୀନତା ମଧ୍ୟରେ ୨୫ ବର୍ଷର ଅନ୍ତର ଥିଲା। ଗାନ୍ଧିଜୀଙ୍କ ଆନ୍ଦୋଳନ ଦେଶବାସୀଙ୍କ ମଧ୍ୟରେ ନୂତନ ଚେତନା ଆଣିଥିଲା, ଯାହା ସେମାନଙ୍କୁ ସ୍ବାଧୀନତା ପାଇଁ ଉତ୍ସଗର୍ର୍ୀକୃତ କରିବା ଲାଗି ଆତ୍ମବିଶ୍ୱାସ ଦେଇଥିଲା। ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ପାଇଁ ପ୍ରତ୍ୟେକ ନାଗରିକ ସେହିଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ପାର୍ଲାମେଣ୍ଟ ଭବନ ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଓ ସ୍ବପ୍ନର ପ୍ରତିଫଳନ। ଏହା ଗଣତନ୍ତ୍ରର ମନ୍ଦିର, ଯାହା ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ଦେଉଛି। ପ୍ରତି ରାଷ୍ଟ୍ରର ଇତିହାସରେ ଅଳ୍ପ କେତେକ ମୁହୂର୍ତ୍ତ ଚିରସ୍ମରଣୀୟ ହୋଇ ରହିଥାଏ। କେତେକ ତାରିଖ ଅଲିଭା ସ୍ବାକ୍ଷର ଛାଡ଼ିଯାଇଥାଏ। ୨୦୨୩ ମେ’ ୨୮ ସେହିଭଳି ଏକ ଦିନ ବୋଲି ମୋଦି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ ମୁଦ୍ରାକୁ ଉନ୍ମୋଚନ କରିଛନ୍ତି।

ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଲାଗି ପ୍ରଧାନମନ୍ତ୍ରୀ ପାରମ୍ପରିକ ପୋଷାକରେ ୧ ନମ୍ବର ଗେଟ୍‌ରେ ପହଞ୍ଚତ୍ବା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ପାଛୋଟି ନେଇଥିଲେ। କର୍ନାଟକ ଶ୍ରୀଙ୍ଗେରି ମଠର ସନ୍ଥମାନଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ ଗଣପତି ହୋମ କରିଥିଲେ। ସେ ସେଙ୍ଗୋଲ୍‌ ସମ୍ମୁଖରେ ପ୍ରଣିପାତ କରିବା ସହ ତାମିଲନାଡୁରୁ ଆସିଥିବା ବିଭିନ୍ନ ଆଧିନମ୍‌ର ସନ୍ଥମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମୋଦି ସେଙ୍ଗୋଲକୁ ଶୋଭାଯାତ୍ରାରେ ନୂଆ ସଂସଦ ଭବନକୁ ନେଇ ଲୋକ ସଭା ପ୍ରକୋଷ୍ଠରେ ବାଚସ୍ପତିଙ୍କ ଆସନର ଡାହାଣ ପାର୍ଶ୍ୱର ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରିଥିଲେ। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ୍‌ ଶାହା, ଏସ୍‌. ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡବ୍ୟ, ଜିତେନ୍ଦ୍ର ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପାର୍ଲାମେଣ୍ଟ ବିଲ୍ଡିଂ ନିର୍ମାଣରେ ସମ୍ପୃକ୍ତ କେତେଜଣ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଅଙ୍ଗବସ୍ତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ସହ ବାଚସ୍ପତି ଓ ଅନ୍ୟ କେତେଜଣ ବିଶିଷ୍ଟ ବ୍ୟକ୍ତି ପୁରୁଣା ପାର୍ଲାମେଣ୍ଟ ଭବନକୁ ଯାଇଥିଲେ। ରାଷ୍ଟ୍ର ମୁଖ୍ୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ କରାଯିବା ଆବଶ୍ୟକ ଥିଲା ବୋଲି କହି ଅନେକ ବିରୋଧୀ ଦଳ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।

ସୋର୍ସ news

Leave a Reply

Your email address will not be published. Required fields are marked *