ରାଜ୍ୟରେ ଦିନକୁ ଦିନ ଗୁଣ୍ଡା,ଅସାମାଜିକ ଓ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ପୂର୍ବେ ଯାଜପୁରରେ ମାଫିଆ ମାନେ ଜଣେ ତହସିଲଦାର ଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ବେଳେ ଆଜି ମଙ୍ଗଳବାର ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଆଇ ଆଇ ସି ଙ୍କୁ ଆକ୍ରମଣ କରି ବାଲି ମାଫିଆ ମାନେ ଗୋଟିଏ ବାଲି ଟ୍ରାକ୍ଟର ଛଡ଼ାଇ ନେଇ ଯିବାରେ ସକ୍ଷମ ହୋଇଛନ୍ତି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଆଜି ମଙ୍ଗଳବାର ସକାଳ ପ୍ରାୟ ୭ ଘଟିକା ସମୟରେ ଭୁବନ ଥାନାଅଧିକାରିଣୀ ରେଣୁବାଳା ସାହୁ ଓ ତାଙ୍କ ଟିମ୍ ମହୁଲପାଳ ସାମିଲ କଣପାଳ ବେଆଇନ ବାଲି ଖାଦାନ ଉପରେ ଚଢାଉ କରିଥିଲେ । ବାଲି ଖାଦାନରୁ ଦୁଇଟି ବେଆଇନ ବାଲି ଟ୍ରକ୍ଟରକୁ ପିଛା କରିଥିଲେ ପୋଲିସ । ତେବେ ମୃଦଙ୍ଗା ଗ୍ରାମ ଶିବ ମନ୍ଦିର ନିକଟରେ ପୋଲିସ ଓ ବାଲି ମାଫିଆଙ୍କ ସହିତ ଚାଲିଥିଲା ତୁମୁଳକାଣ୍ଡ । ବାଲି ମାଫିଆ ମାନେ ପୋଲିସ କୁ ଆକ୍ରମଣ କରିଥିଲେ ।ପୋଲିସ ଉପରକୁ ପଥର ମାଡ କରିବା ସହିତ ଥାନା ଅଧିକାରିଣୀ ରେଣୁବାଳା ସାହୁଙ୍କ ବାମ ହାତ ମୋଡି ଦେଇ ଧକ୍କା ମାରି ଗୋଟିଏ ବାଲି ଟ୍ରାକ୍ଟର ଖସାଇ ନେଇ ଯିବାରେ ସକ୍ଷମ ହୋଇଥିଲେ । ତେବେ ଏହି ଘଟଣାରେ ବାଲି ମାଫିଆର ମାଷ୍ଟର ମାଇଣ୍ଡ୍ ଖସି ଯାଇଥିବା ବେଳେ ଓଡ଼ି ୦୬ ଏନ୍ ୨୦୫୩ ନମ୍ବର ବାଲି ଟ୍ରାକ୍ଟରକୁ ଥାନାକୁ ଆଣିବା ସହ ଡ୍ରାଇଭର ଭରତ ଚନ୍ଦ୍ର ଦାସ ସହିତ ଅନ୍ୟ ଜଣକୁ ଗିରଫ କରାଯାଇଛି । ଏ ସମ୍ପର୍କରେ ଭୁବନ ଥାନାରେ କେଶ୍ ନଂ ୨୫୦/୨୦୨୬ ରେ ମାମଲା ରୁଜୁ ହୋଇଛି । ଖବର ପାଇ କାମାକ୍ଷାନଗର ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଚିତ୍ତରଞ୍ଜନ ବେହେରା ଘଟଣାର ତଦନ୍ତ ଚଳାଇଛନ୍ତି ।



