ଇଡିଆଇଆଇରେ ଅଧ୍ୟାପକଙ୍କ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଯାପିତ
ଉଚ୍ଚଶିକ୍ଷାନୁଷ୍ଠାନରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବା ହେଉଛି ଆମର ଲକ୍ଷ୍ୟ : ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର/ଗାନ୍ଧୀନଗର
୨୬ ସେପ୍ଟେମ୍ବର, ୨୦୨୬
ଉଚ୍ଚଶିକ୍ଷା ବିଭାଗର ଫାକ୍ଲଟି ଡେଭେଲପ୍ମେଣ୍ଟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରୁ ଚୟନୀତ ହୋଇଥିବା ୪୦ ଜଣ ଅଧ୍ୟାପକମାନଙ୍କୁ ଏଣ୍ଟ୍ରପ୍ରିନ୍ୟୁରସିପ୍ ଡେଭେଲପ୍ମେଣ୍ଟ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଗୁଜୁରାଟ (Entrepreneurship Development Institute of India – EDII) ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୧ ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ ଦିନ ଧରି ଏଣ୍ଟ୍ରପ୍ରିନ୍ୟୁରସିପ୍ ଡେଭେଲପ୍ମେଣ୍ଟ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଇଡ଼ିଆଇଆଇ), ଗାନ୍ଧୀନଗର ଠାରେ ଅନୁଷ୍ଠିତ ହୋଇଥିଲା।
ଗତ ସେପ୍ଟେମ୍ବର ୫ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଫାକ୍ଲଟି ଡେଭେଲପ୍ମେଣ୍ଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୪୦ଜଣ
ଅଧ୍ୟାପକମାନଙ୍କୁ ଚୟନ କରାଯାଇ ଇଡ଼ିଆଇଆଇ, ଗାନ୍ଧୀନଗର ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ଏହି ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟାପକମାନଙ୍କୁ ଏଣ୍ଟ୍ରପ୍ରିନ୍ୟୁରସିପ୍ ଡେଭେଲପ୍ମେଣ୍ଟ, ବିଜନେସ୍ ଆଇଡିଆ ଜେନେରେସନ୍, ଷ୍ଟାର୍ଟଅପ୍ ମେଣ୍ଟରିଙ୍ଗ, ବିଜନେସ୍ ମଡେଲ କାନ୍ଭାସ, ଇନ୍ୟୁକୁବେସନ୍ ସେଣ୍ଟର ପ୍ରତିଷ୍ଠା କରିବା ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନରେ ସମସ୍ତେ ଅଧ୍ୟାପକମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଆଗାମୀ ଦିନରେ ନେବାକୁ ଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ପ୍ରଶିକ୍ଷଣ ନେଇଥିବା ସମସ୍ତ ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟାପକମାନଙ୍କର ଦକ୍ଷତା ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି। ଏଥିସହ ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଶେଷ ଭାବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନବ ସୃଜନ ଓ ନୂତନ ଉଦ୍ୟମିତାକୁ ବିକାଶ କରିବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ଓଡ଼ିଶାର ଉଚ୍ଚଶିକ୍ଷାନୁଷ୍ଠାନରେ ଏଣ୍ଟ୍ରପ୍ରିନ୍ୟୁରସିପ୍କୁ ପ୍ରୋତ୍ସାହିତ କରିବା ଏବଂ ଅଧ୍ୟାପକମାନଙ୍କୁ ଏଣ୍ଟ୍ରପ୍ରିନ୍ୟୁରସିପ୍ ଡେଭେଲପ୍ମେଣ୍ଟ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରିବା ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଯାହାକି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ସହାୟକ ହେବ ବୋଲି ଇଡିଆଇଆଇ ନିର୍ଦ୍ଦେଶକ ଡ଼. ସୁନୀଲ ଶୁକ୍ଲା ମତପ୍ରକାଶ କରିଛନ୍ତି।
