୩୪ ବର୍ଷ ପରେ ମାରାଥନରେ ଭାରତକୁ ପଦକ; ସାୱନ ବରୱାଲଙ୍କ ଐତିହାସିକ ରୌପ୍ୟ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ପୁରୁଷ ମାରାଥନରେ ଭାରତ ପାଇଁ ଐତିହାସିକ ସଫଳତା ଆଣିଛନ୍ତି ହିମାଚଳ ପ୍ରଦେଶର ଧାବକ ସାୱନ ବରୱାଲ। ୪୨.୧୯୫ କିଲୋମିଟର ଦୂରତାକୁ ୨ ଘଣ୍ଟା ୧୧ ମିନିଟ୍ ୩୭ ସେକେଣ୍ଡରେ ଶେଷ କରି ସେ ରୌପ୍ୟ ପଦକ ଜିତିବା ସହ ନିଜ ଜାତୀୟ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।
୨୮ ବର୍ଷୀୟ ସାୱନଙ୍କ ପାଇଁ ଚଳିତ ବର୍ଷର ଏହା ଦ୍ୱିତୀୟ ମାରାଥନ୍ ଏବଂ ଦ୍ୱିତୀୟ ଜାତୀୟ ରେକର୍ଡ। ଏପ୍ରିଲରେ ରଟରଡାମ୍ ମାରାଥନରେ ୨ ଘଣ୍ଟା ୧୧ ମିନିଟ୍ ୫୮ ସେକେଣ୍ଡ ସମୟ ସହ ସେ ଭାରତୀୟ ଧାବକ ଶିବନାଥ ସିଂହଙ୍କ ୪୮ ବର୍ଷ ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିଥିଲେ। ଏବେ ଏସୀୟ କ୍ରୀଡ଼ାରେ ନିଜର ସେହି ରେକର୍ଡକୁ ଆହୁରି ଉନ୍ନତ କରିଛନ୍ତି।
୧୪ ବର୍ଷରୁ ଆରମ୍ଭ, ଏବେ ଏସୀୟ ମଞ୍ଚରେ ରୌପ୍ୟ
ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲା ଜୋଗିନ୍ଦର ନଗରରୁ ଆସିଥିବା ସାୱନଙ୍କ ଆଥଲେଟିକ୍ସ ଯାତ୍ରା ମାତ୍ର ୧୪ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ସେତେବେଳେ ସେ ୧୫୦୦ ମିଟର ଦୌଡ଼ରେ ଭାଗ ନେଉଥିଲେ। ସାଧାରଣ ପରିବାରରୁ ଆସିଥିବା ସାୱନଙ୍କ ବାପା କୁଲଦୀପ ଦିଲ୍ଲୀରେ ଡ୍ରାଇଭର ଭାବେ କାମ କରୁଥିବାବେଳେ ମା’ ସୁଭଦ୍ରା ଦେବୀ ଗୃହିଣୀ।
୨୦୧୯ରେ କ୍ରୀଡ଼ା କୋଟାରେ ଭାରତୀୟ ସେନାରେ ଯୋଗଦେଇଥିଲେ ସାୱନ। ୨୦୨୫ ଜାତୀୟ କ୍ରୀଡ଼ାରେ ୫୦୦୦ ମିଟର ଓ ୧୦,୦୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଶିକ୍ଷକଙ୍କ ପରାମର୍ଶରେ ଚଳିତ ବର୍ଷ ସେ ମାରାଥନ୍ରେ ପାଦ ରଖିଥିଲେ।
ରଟରଡାମ୍ରେ ଜାତୀୟ ରେକର୍ଡ ଭାଙ୍ଗିବା ପରେ ଊଟିରେ ଉଚ୍ଚତାଭିତ୍ତିକ ପ୍ରଶିକ୍ଷଣ ନେଇଥିଲେ। ଏସୀୟ କ୍ରୀଡ଼ା ପୂର୍ବରୁ ଆମେରିକାର କଲୋରାଡୋ ସ୍ପ୍ରିଙ୍ଗ୍ସରେ ପ୍ରାୟ ଦୁଇ ମାସ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ଏହି ପ୍ରସ୍ତୁତିର ଫଳ ଏବେ ଏସୀୟ ମଞ୍ଚରେ ମିଳିଛି।
୧୯୮୨ ପରେ ପ୍ରଥମ ମାରାଥନ୍ ପଦକ
ସାୱନଙ୍କ ରୌପ୍ୟ ସହ ଏସୀୟ କ୍ରୀଡ଼ାର ମାରାଥନ୍ ଇଭେଣ୍ଟରେ ୧୯୮୨ ପରେ ଭାରତ ପୁଣିଥରେ ପଦକ ହାସଲ କରିଛି। ୧୯୮୨ ଏସୀୟ କ୍ରୀଡ଼ାରେ ହୋସୁର କୁକ୍କାପ୍ପା ସୀତାରଣ ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ।
ଏହି ସଫଳତା ସହ ସାୱନ ବରୱାଲ ଏସୀୟ କ୍ରୀଡ଼ା ଇତିହାସରେ ଭାରତର ଚତୁର୍ଥ ମାରାଥନ୍ ପଦକ ବିଜେତା ହୋଇଛନ୍ତି। ଜାତୀୟ ରେକର୍ଡ ଭାଙ୍ଗିବା ସହ ଏସୀୟ ମଞ୍ଚରେ ରୌପ୍ୟ ଜିତି ସେ ଭାରତୀୟ ଆଥଲେଟିକ୍ସରେ ନିଜ ନାମକୁ ନୂଆ ଭାବେ ଲେଖାଇଛନ୍ତି।
