Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କ ଡିଜିଟାଲ୍ ସମ୍ବାଦ ପ୍ରକାଶକ ପ୍ରତିନିଧିମାନଙ୍କ ସହ ମତବିନିମୟ

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଡିଜିଟାଲ ସମ୍ବାଦ ପ୍ରକାଶକ ସଂଘ (ଡିଏନ୍‍ପିଏ) ସହିତ ଆଇଟି (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ ମିଡିଆ ନୈତିକତା କୋଡ) ନିୟମ, ୨୦୨୧ ପୃଷ୍ଠଭୂମି ଉପରେ ମତବିନିମୟ କରିଛନ୍ତି । ଇଣ୍ଡିଆ ଟୁଡେ, ଦୈନିକ ଭାଷ୍କର, ହିନ୍ଦୁସ୍ଥାନ ଟାଇମ୍ସ, ଇଣ୍ଡିଆନ ଏକ୍ସପ୍ରେସ୍‍, ଟାଇମ୍‍ଓ ଅଫ୍‍ ଇଣ୍ଡିଆ, ଏବିପି, ଇନାଡୁ, ଦୈନିକ ଜାଗରଣ, ଲୋକମତ ଆଦିର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ ।

 

ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି ଯେ ନୂତନ ନିୟମ ଡିଜିଟାଲ ସମ୍ବାଦ ପ୍ରକାଶକଙ୍କ ଉପରେ କିଛିଟା ଦାୟିତ୍ୱ ନ୍ୟସ୍ତ କରିଛି । ଏଥିମଧ୍ୟରେ ନୈତିକତାର କୋଡ୍‍ ପ୍ରତି ଆନୁଗତ୍ୟ ରଖିବା ଯେପରିକି ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ସାମ୍ବାଦିକତା ଆଚରଣ ଏବଂ କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ ଅନୁଯାୟୀ କାର୍ଯ୍ୟକ୍ରମ କୋଡ୍ ଅନ୍ତର୍ଭୁକ୍ତ । ନାଗରିକଙ୍କ ଅଭିଯୋଗର ସମାଧାନ ପାଇଁ ନିୟମଗୁଡିକ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ପ୍ରଣାଳୀ ରହିବ ଯେଉଁଥିରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିଜିଟାଲ୍ ସମ୍ବାଦ ପ୍ରକାଶକ ଏବଂ ସେମାନଙ୍କ ଦ୍ୱାରା ଗଠିତ ସ୍ୱ-ନିୟାମକ ସଂସ୍ଥାଗୁଡ଼ିକର ହେବ । ଡିଜିଟାଲ୍ ସମ୍ବାଦ ପ୍ରକାଶକମାନେ ମଧ୍ୟ ଏକ ସରଳ ଫର୍ମରେ ମନ୍ତ୍ରଣାଳୟକୁ କିଛି ମୌଳିକ ସୂଚନା ପ୍ରଦାନ କରିବାକୁ ବାଧ୍ୟ ହେବେ ଯାହା ଚୂଡ଼ାନ୍ତ ହୋଇଛି ଏବଂ ପର୍ଯ୍ୟାୟକ୍ରମେ ସେମାନଙ୍କ ଦ୍ୱାରା ଅଭିଯୋଗର ସମାଧାନ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକୁ ପବ୍ଲିକ ଡୋମେନ୍‍ରେ ପ୍ରଦାନ କରିବେ । ସେ ପ୍ରକାଶ କରିଛନ୍ତି ଯେ ମୁଦ୍ରିତ ଗଣମାଧ୍ୟମ ଏବଂ ଟିଭି ଚ୍ୟାନେଲଗୁଡ଼ିକର ଡିଜିଟାଲ ସଂସ୍କରଣ ଅଛି ଯାହାର ବିଷୟବସ୍ତୁ ପାରମ୍ପାରିକ ପ୍ଲାଟଫର୍ମରେ ପ୍ରାୟ ସମାନ । ତଥାପି, ସେଠାରେ କିଛି ବିଷୟବସ୍ତୁ ଅଛି ଯାହା କେବଳ ସ୍ୱତନ୍ତ୍ର ଭାବେ ଡିଜିଟାଲ୍ ପ୍ଲାଟଫର୍ମରେ ଦେଖାଯାଏ । ଏହା ବ୍ୟତୀତ ଅନେକ ସଂସ୍ଥା ଅଛି ଯାହା କେବଳ ଡିଜିଟାଲ୍ ପ୍ଲାଟଫର୍ମରେ ରହିଛି । ତଦନୁଯାୟୀ ଏହି ନିୟମଗୁଡିକ ଡିଜିଟାଲ୍ ଗଣମାଧ୍ୟମ ସମ୍ବାଦକୁ ପରିସରଭୁକ୍ତ କରିବାକୁ ଚେଷ୍ଟା କରିବ ଯାହାଦ୍ୱାରା ପାରମ୍ପରିକ ଗଣମାଧ୍ୟମ ସହିତ ସମାନ ହେବ ।

 

ଅଂଶଗ୍ରହଣକାରୀମାନେ ନୂତନ ନିୟମକୁ ସ୍ୱାଗତ କରିବାବେଳେ ଦର୍ଶାଇଥିଲେ ଯେ ଟିଭି ଏବଂ ମୁଦ୍ରିତ ଗଣମାଧ୍ୟମ କେବୁଲ ଟେଲିଭିଜନ ନେଟୱାର୍କ ଅଧିନିୟମ ଏବଂ ପ୍ରେସ କାଉନସିଲ ଅଧିନିୟମକୁ ଦୀର୍ଘ ଦିନ ଧରି ଅନୁସରଣ କରିଆସୁଛନ୍ତି । ଡିଜିଟାଲ୍ ସଂସ୍କରଣ ପ୍ରକାଶନ ପାଇଁ ପ୍ରକାଶକମାନେ ପାରମ୍ପାରିକ ପ୍ଲାଟଫର୍ମର ପ୍ରଚଳିତ ନିୟମ ଅନୁସରଣ କରନ୍ତି । ସେମାନେ ଅନୁଭବ କରିଥିଲେ ଯେ କେବଳ ଡିଜିଟାଲ୍ ପ୍ଲାଟଫର୍ମରେ ଥିବା ସେହି ସମ୍ବାଦ ପ୍ରକାଶକଙ୍କ ତୁଳନାରେ ସେମାନଙ୍କୁ ଭିନ୍ନ ବ୍ୟବହାର କରାଯିବା ଉଚିତ୍‍ ।

 

ଶ୍ରୀ ଜାଭଡେକର ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ମତ ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବେ ଏବଂ ଗଣମାଧ୍ୟମ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ପାଇଁ ଏହି ପରାମର୍ଶ ପ୍ରକ୍ରିୟା ଜାରି ରଖିବେ ।