ନୁଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ଚୁକ୍ତିନାମା ହୋଇଥିବା ଖବର ଆସିଛି । ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ଆମେରିକୀୟ ନୌସେନା ଅବରୋଧକୁ କମ କରିବାକୁ ଏବଂ ପ୍ରତିବଦଳରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ୍ ପ୍ରଣାଳୀ’କୁ ପର୍ଯ୍ୟାୟକ୍ରମେ ପୁଣି ଖୋଲିବାକୁ ରାଜି ହୋଇଛନ୍ତି ।
ଆରବୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନା ପରେ ଏହି ଚୁକ୍ତି ହୋଇଛି। ଆମେରିକା-ଇରାନ ବିବାଦ ଯୋଗୁଁ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିଲା । ଫଳରେ ବିଶ୍ୱ ଶକ୍ତି ଯୋଗାଣ ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା । ତେଲ ଏବଂ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।ରିପୋର୍ଟରେ କୁହାଯାଇଛି , ଅବରୋଧକୁ କମ୍ କରିବା ଏବଂ ଧୀରେ ଧୀରେ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଏକ ଚୁକ୍ତି ହୋଇଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀରେ ଫସି ରହିଥିବା ଜାହାଜଗୁଡ଼ିକୁ ଯିବାକୁ ଅନୁମତି ଦିଆଯିବ । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ବିଶ୍ୱ ବଜାର ଏବଂ ସାମୁଦ୍ରିକ ବାଣିଜ୍ୟକୁ ଆଶ୍ୱସ୍ତି ପ୍ରଦାନ କରିପାରିବ । ତେବେ ଏହି ଚୁକ୍ତି ଉପରେ ଆମେରିକା ଏବଂ ଇରାନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇ ନାହିଁ ।



