ଜମି ଅନୁମତି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ
ଯାଜପୁର: ଜଣେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କଠାରୁ ଜମି କିଣିବା ପାଇଁ ଆବଶ୍ୟକ ଅନୁମତି ପତ୍ର ପ୍ରଦାନ ବାବଦରେ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) ପ୍ରସନ୍ନ କୁମାର ସାହାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ ମା’ଙ୍କ ନାମରେ ୧୬ ଡେସିମିଲ୍ ଜମି କିଣିବା ଲାଗି ୨୯ ନଭେମ୍ବର ୨୦୨୫ରେ ଆବେଦନ କରିଥିଲେ। କିନ୍ତୁ କନିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସାହାଣୀ ଫାଇଲ୍ ପ୍ରୋସେସ୍ କରିବାକୁ ଅହେତୁକ ବିଳମ୍ବ କରିବା ସହ ଡେସିମିଲ୍ ପିଛା ୩ ହଜାର ହିସାବରେ ମୋଟ ୪୮ ହଜାର ଟଙ୍କା ଦାବି କରିଥିଲେ। ପରେ ଏହି ରକମ ୪୦ ହଜାର ଟଙ୍କାରେ ସ୍ଥିର ହୋଇଥିଲା। ବାଧ୍ୟ ହୋଇ ଆବେଦନକାରୀ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଦିନ ଶ୍ରୀ ସାହାଣୀ ନିଜ ଅଫିସ୍ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ଏବଂ ହାତ ଧୁଆ ପରୀକ୍ଷା (Chemical Wash) ପଜିଟିଭ୍ ଆସିଛି। ଏହାପରେ ଯାଜପୁର ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା (କେସ୍ ନଂ ୩୭/୨୦୨୬) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
