ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟାର ହସ୍ପିଟାଲ କରିବ ବେଦାନ୍ତ; ଝାରସୁଗୁଡ଼ାରେ ବଡ଼ ଆଲୁମିନିୟମ ପ୍ରକଳ୍ପ ପ୍ରସ୍ତାବ
ଭୁବନେଶ୍ୱର, ୨୬/୯: ପଶ୍ଚିମ ଓଡ଼ିଶାରେ ଏକ ବୃହତ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛି ବେଦାନ୍ତ ଗ୍ରୁପ୍। ଏନେଇ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ରଖିଛନ୍ତି। ପ୍ରସ୍ତାବିତ ହସ୍ପିଟାଲରେ ପ୍ରାୟ ୧,୦୦୦ ଶଯ୍ୟା ରହିବ ବୋଲି ଅଗ୍ରୱାଲ ସୂଚନା ଦେଇଛନ୍ତି।
ବୈଠକରେ ଓଡ଼ିଶାରେ ବେଦାନ୍ତର ଶିଳ୍ପ ଓ ଭିତ୍ତିଭୂମି ସମ୍ପ୍ରସାରଣ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଝାରସୁଗୁଡ଼ାରେ ୨ ମିଲିୟନ ଟନ୍ କ୍ଷମତାର ଏକ ନୂତନ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବେଦାନ୍ତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶର ପ୍ରସ୍ତାବ ରହିଛି। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଥିବା କୁହାଯାଇଛି।
ଏଥିସହ ଝାରସୁଗୁଡ଼ାରେ ବର୍ତ୍ତମାନ ଥିବା ୧ ଏମ୍ଟିପିଏ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟର ସମ୍ପ୍ରସାରଣ ନେଇ ମଧ୍ୟ ଅନିଲ ଅଗ୍ରୱାଲ ପ୍ରସ୍ତାବ ରଖିଥିଲେ।
ସେହିପରି ସିଜିମାଳୀ ଓ କର୍ଲାପାଟ ଖଣିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା।
ବୈଠକରେ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ସହିତ ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟି ପାଇଁ ସରକାର ପ୍ରୟାସ କରୁଥିବା ସେ କହିଥିଲେ। ଆଲୁମିନିୟମ କ୍ଷେତ୍ରରେ ବେଦାନ୍ତର ପ୍ରସ୍ତାବିତ ପୁଞ୍ଜିନିବେଶକୁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବୈଠକ ପରେ ଅନିଲ ଅଗ୍ରୱାଲ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ସହଯୋଗରେ ବେଦାନ୍ତ ରାଜ୍ୟରେ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ଗଠନ, ନୂଆ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗକୁ ମଜବୁତ କରିବା ଏବଂ ଦେଶର ବିକାଶରେ ଅବଦାନ ରଖିବା ଲକ୍ଷ୍ୟରେ ଆଗକୁ ବଢ଼ୁଛି।
ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ଏହାସହ ଲଜିଷ୍ଟିକ୍ସ, ଭିତ୍ତିଭୂମି, ଇଞ୍ଜିନିୟରିଂ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ମାଧ୍ୟମରେ ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନୀ ଆକଳନ କରିଛି। ଏହା ସହିତ ହଜାର ହଜାର ଏମ୍ଏସ୍ଏମ୍ଇ ଓ ଯୋଗାଣକାରୀ ବ୍ୟବସାୟ ମଧ୍ୟ ଲାଭବାନ ହେବାର ସମ୍ଭାବନା ରହିଛି।

