Spread the love

ଢେଙ୍କାନାଳ :05/12-ଆଜି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରଥମଥର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ କପିଳାସ ପୀଠାଧିଶ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି l ଦର୍ଶନ ପରେ ସେ ମନ୍ଦିରର ପୂଜକମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ l ଏହା ପରେ ମହାମହିମ ଦେଓଗାଁ (ଖ) ଅଙ୍ଗନଵାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନଵାଡି କର୍ମୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ l ପରେ ପରେ ସେ ଦେଓଗାଁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କ ସହ ଆଲୋଚନା କରିଥିଲେ l ବିଦ୍ୟା ଅଧ୍ୟୟନ ଦ୍ୱାରା ଜ୍ଞାନର ପରିସୀମା ବୃଦ୍ଧି କରି ନିଜକୁ ମହାନ କରି ଗଢି ତୋଳିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ lଏହାପରେ ମହାମହିମ ରାଜ୍ୟପାଳ ଦେଓଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ବିଦ୍ୟାଳୟରେ ହେଉଥିବା ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଥିଲେ l ଏହାସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଣୀତ ନୂତନ ଜାତୀୟ ଶିକ୍ଷାନୀତି କିପରି ଶିକ୍ଷକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ଓ ଛାତ୍ରଛାତ୍ରୀ ମାନେ କିପରି ନିଜ ମାତୃଭାଷା ରେ ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରିପାରୁଛନ୍ତି ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ l ମଧ୍ୟାହ୍ନ ରେ ଢେଙ୍କାନାଳ ସଦର ମହକୁମା ସ୍ଥିତ ସର୍କିଟ ହାଉସ ରେ ମହାମହିମଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l

 

ମହାମହିମ ରାଜ୍ୟପାଳ ଅପରାହ୍ନରେ ଯୋରନ୍ଦା ମହିମାଗାଦି ପରିଦର୍ଶନ କରି ମହିମା ସାଧୁସନ୍ଥମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ଓ ସେମାନଙ୍କ ଅସୁବିଧା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ l ପରେ ଯୋରନ୍ଦାସ୍ଥିତ ଵୃଦ୍ଧାଶ୍ରମକୁ ଯାଇ ଆଶ୍ରମର ପରିଚାଳନା ସମ୍ପର୍କରେ ଅବଗତ ହୋଇଥିଲେ l ଏହା ପରେ ସେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ l ଏହାସହିତ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ଭାବ ବିନିମୟ କରିଥିଲେ l ସେମାନଙ୍କ କାର୍ଯ୍ୟପନ୍ଥା କଣ ରହୁଛି ତା ସହ ସେମାନେ କଣ କଣ ସୁବିଧା ସୁଯୋଗ ପାଉଛନ୍ତି ସେ ବିଷୟରେ ପଚାରିଥିଲେ ଓ ସେମାନଙ୍କୁ ଆଉ ନୂତନ ଅଭିନଵ ଉପାୟ ମାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଯେପରିକି ସେ କହିଥିଲେ ସେ ଯେତେବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ସେଠାରେ ମହିଳା ମାନଙ୍କୁ ଗୋବର ବ୍ୟାଙ୍କ କରିବାକୁ ପରାମର୍ଶ ଦେଇଥିଲେ ଯାହାକି ସଫଳତା ଲାଭ କରିଥିଲା l ଗୋବର ବ୍ୟାଙ୍କ ରୁ ଗୋବର ଗ୍ୟାସ, ଖତ ଆଦି ଉତ୍ପାଦନ କରାଯାଇପାରିବ l ଏହାସହିତ ସେ ସୋଲାର ଫାଂର୍ମିଙ୍ଗ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ l ଯେହେତୁ କୋଇଲା ସରନ୍ତି ସମ୍ବଳ ତେଣୁ ଏହାର ବିକଳ୍ପ ରୂପେ ସୌରଶକ୍ତି କାର୍ଯ୍ୟ କରିପାରିବ l ଯାହାର ଆଗାମୀ ଦିନ ମାନଙ୍କରେ ଚାହିଦା ମଧ୍ୟ ରହିବ l ଏହି ପ୍ରରିପ୍ରେକ୍ଷୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଂୟ ସହାୟକ ଗୋଷ୍ଟୀର ମହିଳା ମାନଙ୍କୁ ଅଧିକ ସୁଦୃଢ କରିବାପାଇଁ ରାଷ୍ଟ୍ରୀୟ ଗ୍ରାମୀଣ ଅଜୀବିକା ମିଶନ ପ୍ରଣୟନ କରିଛନ୍ତି l ଯାହା ମାଧ୍ୟମରେ ମହିଳା ଗୋଷ୍ଠୀମାନଙ୍କୁ ବିନା ଗ୍ୟାରେଣ୍ଟି ରେ 20 ଲକ୍ଷ୍ୟ ଲେଖାଏଁ ଋଣ ମିଳିବ ବୋଲି ମହାମହିମ ରାଜ୍ୟପାଳ କହିଥିଲେ l

ମହାମହିମ ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ସଦର ଉପ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *

You missed