ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା
ପାଳଲହଡ଼ା:-▪️କାର୍ଯ୍ୟ କରିଥିଲେ ନବୀନ ସରକାର , ଉଦଘାଟନ କରିବାକୁ ଆସିଥିଲେ ମହୋନ ସରକାର ଙ୍କ ମନ୍ତ୍ରୀ…….▪️ ନ ଥିଲା କୌଣସି ବିଜେଡି ନେତା ଙ୍କ ନାଁ ରାଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା…… ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ ଫଳକରେ ନାଁ ନଥିବାରୁ ଏହାକୁ ଭାଙ୍ଗି ଦେଇଛନ୍ତି ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣି ନାଏକା ଫଳରେ ପ୍ରକଳ୍ପ ଉଦ୍ଘାଟନ ପାଇଁ ଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଅକଳରେ ପଡ଼ି ଯାଇଥିଲେ | ପରେ ଫିତା କାଟି ଏହି ପ୍ରକଳ୍ପ ସବୁ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ । ଏପଟେ ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ପାଳଲହଡ଼ା ସହରରେ ଆଜି ୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଗୋଟିଏର ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଥିଲା। ମନ୍ତ୍ରୀ ରବି ନାରାୟଣ ନାଏକ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଏସବୁ କାର୍ଯ୍ୟକ୍ରମରେ ଯୋଗ ଦେବାର ସ୍ଥିର ହୋଇଥିଲା | ଏଥିପାଇଁ ୪ ଟି ଜାଗାରେ ବ୍ଳକ ପ୍ରଶାସନ ଓ ପୂର୍ତ୍ତ ବିଭାଗ ପକ୍ଷରୁ ନାମ ଫଳକ ଲଗାଯାଇଥିଲା ବେଳେ ଏଥିରେ ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣି ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀଙ୍କ ନାଁ ନଥିଲା। ଉଦ୍ଘାଟନ ଓ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଶେଷ ହେବାକୁ ବସିଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା କିଛି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ବିଜେଡି କର୍ମୀଙ୍କ ଗହଣରେ ଆସି ପ୍ରତିବାଦ କରିବା ସହ ଗାୟତ୍ରୀ ମନ୍ଦିର ଓ ସୋମେଶ୍ଵର ମନ୍ଦିରରେ ଲାଗିଥିବା ନାମ ଫଳକକୁ ଭାଙ୍ଗି ଦେଇଥିଲେ । ଡାକ୍ତରଖାନା ପରିସର ଆହାର କେନ୍ଦ୍ର ଶିଳାନ୍ୟାସକୁ ଭାଙ୍ଗିବାକୁ ଯିବା ସମୟରେ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲା । ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧ୍ୟକ୍ଷା ଓ ବିଜେଡି ସମର୍ଥକ ମାନେ ବିଜେପି ସରକାର ବିରୋଧରେ ନାରାବାଜି ଦେଇ ଭିତରକୁ ଧସେଇ ପଶି ଡାକ୍ତରଖାନା ପରିସରରେ ଲାଗିଥିବା ନାମ ଫଳକକୁ ମଧ୍ୟ ଭାଙ୍ଗି ଦେଇଥିଲେ | ପୁଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା। ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହାଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ମନ୍ତ୍ରୀ, ସାଂସଦ ଓ ବିଧାୟକ ମିଶି ଝିମିରିପାଳିରେ ନିର୍ମିତ କୋଠଘର, ଗାୟତ୍ରୀ ମନ୍ଦିର ଓ ସୋମେଶ୍ବର ମହାଦେବ ମନ୍ଦିରର ଉନ୍ନତୀକରଣ ଓ ଆହାର କେନ୍ଦ୍ରକୁ କେବଳ ଫିତା କାଟି ଉଦ୍ଘାଟନ କରିଥିଲେ | ତେବେ ଏ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା କହିଛନ୍ତି, ବିଜେଡି ସରକାର ସମୟରେ ପ୍ରକଳ୍ପ କାମ ହୋଇଛି। ଆଉ ନୂଆ ପ୍ରକଳ୍ପ ପାଇଁ ବିଜେଡି ସରକାର ଅର୍ଥ ଅନୁମୋଦନ କରିଛନ୍ତି। ବିଜେପି ହୀନ ରାଜନୀତି କରି ସେମାନଙ୍କୁ ଅଣଦେଖା କରି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି। ତେଣୁ ନାମଫଳକ ଭାଙ୍ଗିଦେଲୁ ବୋଲି ସେ କହିଛନ୍ତି। ଫଳକ ଭଙ୍ଗା ଘଟଣାକୁ ନିନ୍ଦା କରିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ ଓ ସାଂସଦ ଶ୍ରୀ ପାଣି।



