ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରୁ ବହୁ ପରିମାଣର କୋକେନ ଜବତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଏହାକୁ ଜବତ କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗୁରଫ କରାଯାଇଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ସୋନିପତ ଅଞ୍ଚଳର ବୋଲି ଜଣାପଡିଛି ।
ଖବର ମୁତାବକ, ଏନସିବି ଶୁକ୍ରବାର ୮୦ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି ।
ଯାହାର ବଜାର ମୂଲ୍ୟ ୯୦୦ କୋଟି ଟଙ୍କା ହେବ । ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଏନସିବିକୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି । ଏହା ସହ ଡ୍ରଗ ମୁକ୍ତ ଭାରତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ଆଗକୁ ମଧ୍ୟ ନିଶା କାରବାର ରାକେଟ ବିରୋଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ।ଏନେଇ ଅମିତ ଶାହ ଟ୍ବିଟ୍ କରି କହିଛନ୍ତି ଯେ, ‘ଗୋଟିଏ ଦିନରେ ବେଆଇନ ଡ୍ରଗ୍ ବିରୋଧରେ ଲଗାତାର ଦୁଇଟି ପ୍ରମୁଖ ସଫଳତା ଡ୍ରଗ୍ ମୁକ୍ତ ଭାରତ ପାଇଁ ମୋଦି ସରକାରଙ୍କ ସଂକଳ୍ପକୁ ଦର୍ଶାଉଛି । ଆଜି ଦିଲ୍ଲୀରେ ଏନସିବି ୮୨.୫୩ କିଲୋଗ୍ରାମ ଉଚ୍ଚ ଗ୍ରେଡ୍ କୋକେନ୍ ଜବତ କରିଛି’ ।ଦିଲ୍ଲୀରୁ କୋକେନ ଜବତ ହେବାର କିଛି ସମୟ ପୂର୍ବରୁ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ । ଏହି ଘଟଣାରେ ୮ ଜଣ ଇରାନ ନାଗରିକ ଗିରଫ ହୋଇଛନ୍ତି ।



