ଆଉ ମାତ୍ର ଦୁଇ ଦିନ: ନାଲକୋ ନଗରରେ ବିଶ୍ୱକର୍ମା ପୂଜା ପାଇଁ କମ୍ପୁଛି ପରିବେଶ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଶାଳକାୟ ତୋରଣ
ଅନୁଗୋଳ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ନାଲକୋ ନଗର ଏବେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଆବାହନ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି। ଆଉ ମାତ୍ର ଦୁଇ ଦିନ ପରେ ସେପ୍ଟେମ୍ବର ୧୭ ତାରିଖରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବାର୍ଷିକ ବିଶ୍ୱକର୍ମା ପୂଜା। ପୂଜାକୁ ନେଇ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି।

ଚଳିତ ବର୍ଷ ନାଲକୋ ଟାଉନସିପ୍ ଏବଂ ଆଖପାଖ ପୂଜା ମଣ୍ଡପଗୁଡ଼ିକରେ ପ୍ରତିଯୋଗିତାମୂଳକ ଭାବେ ନିର୍ମାଣ ଚାଲିଛି ଆଖିଝଟକା ତୋରଣ ଓ ମଣ୍ଡପ। ବିଶେଷକରି ସଙ୍ଗୀତ ବାଦ୍ୟଯନ୍ତ୍ର ‘ତାନପୁରା/ବୀଣା’ ଢାଞ୍ଚାରେ ନିର୍ମିତ ଏକ ବିଶାଳକାୟ ସୁନ୍ଦର ଗେଟ୍ ଏବଂ ଅନ୍ୟ ଏକ ସ୍ଥାନରେ ଦେଶବିଦେଶର ଐତିହାସିକ ପ୍ରାସାଦ ଢାଞ୍ଚାରେ ଗଢ଼ିଉଠୁଥିବା ବହୁତଳ ବିଶିଷ୍ଟ ଭବ୍ୟ ତୋରଣ ସମସ୍ତଙ୍କ ନଜର ଟାଣୁଛି। ଦିନରାତି ଏକ କରି କାରିଗରମାନେ ବାଉଁଶ, କପଡ଼ା ଓ ରଙ୍ଗବେରଙ୍ଗ ଆଲୋକମାଳାରେ ମଣ୍ଡପକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି।
ମୁଖ୍ୟ ଆକର୍ଷଣ:
- ଅଭିନବ ତୋରଣ: ବାଦ୍ୟଯନ୍ତ୍ର ଆକୃତିର ସ୍ୱତନ୍ତ୍ର ଫାଟକ ଓ ମନ୍ଦିର-ପ୍ରାସାଦ ଢାଞ୍ଚାରେ ଆକାଶଛୁଆଁ ତୋରଣ।
- ରଙ୍ଗାରଙ୍ଗ ଆଲୋକସଜ୍ଜା: ସମଗ୍ର ନାଲକୋ ଟାଉନସିପ୍କୁ ଏଲ୍ଇଡି (LED) ଓ ଚଳନ୍ତି ଲାଇଟ୍ରେ ସଜାଯାଇଛି।
- ସାଂସ୍କୃତିକ କାର୍ଯ୍ୟକ୍ରମ: ପୂଜା ଦିନଠାରୁ ଆଗାମୀ କିଛି ଦିନ ଧରି ମଞ୍ଚରେ ଅନୁଷ୍ଠିତ ହେବ ଭଜନ ସନ୍ଧ୍ୟା, ମେଲୋଡି ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନୃତ୍ୟଗୀତ।
- ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା: ପୂଜା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣର ବ୍ୟାପକ ବ୍ୟବସ୍ଥା କରାଯାଇଛି।
- ବିଭିନ୍ନ ଜିଲ୍ଲା ଓ ପ୍ରଦେଶରୁ ଖାଦ୍ୟ, ମନୋହାରୀ, ବୈଦ୍ୟୁତିକ ଉପକରଣ, ନୁଆ ମଡେଲ ଚାରିଚକିଆ ଯାନ, ଆସବାବ ପତ୍ର ର ଦୋକାନ ବଜାର ଵିଶେଷ ଆକର୍ଷଣର କେନ୍ଦ୍ର ରହିବ।
- ମେଢ଼ ଓ ପ୍ରଭୁ ବିଶ୍ୱକର୍ମାଙ୍କ ଆକର୍ଷଣୀୟ ମୂର୍ତ୍ତି ପୁଜା ମଣ୍ଡପରେ ଶୋଭା ପାଇଥାଏ। ଏଥି ସହିତ ଆକର୍ଷଣୀୟ ସାଜସଜ୍ଜା, ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି।
ଶିଳ୍ପନଗରୀ ଏବେ ଉତ୍ସବମୁଖର ହୋଇଉଠିଥିବା ବେଳେ ସମସ୍ତେ ଚାହିଁ ବସିଛନ୍ତି ପୂଜାର ଶୁଭ ଉଦ୍ଘାଟନକୁ।
