Spread the love

ନୂଆଦିଲ୍ଲୀ: ଦକ୍ଷିଣ ବୋଲିଭିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୋଟୋସି ଅଞ୍ଚଳର ଏକ ରାଜପଥରେ ଦୁଇଟି ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୮ ଜଣ ନାବାଳକଙ୍କ ସମେତ ଅତି କମରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସ କହିଛି, ଏହା ଚଳିତ ବର୍ଷ ଦେଶର ସବୁଠାରୁ ଭୟଙ୍କର ବସ୍ ଦୁର୍ଘଟଣା।ଖବର ମୁତାବକ, ସକାଳେ ୭ଟା ସମୟରେ ଉୟୁନି ଏବଂ କୋଲଚାନି ମଧ୍ୟରେ ଥିବା ଏକ ରାଜପଥରେ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ପଶିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଘଟଣା ବିଷୟରେ ସୂଚନା ଦେଇ ପୋଟୋସି ବିଭାଗୀୟ ପୋଲିସ କମାଣ୍ଡର ମୁଖପାତ୍ର କହିଛନ୍ତି ଯେ, ଏହି ଭୟଙ୍କର ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୯ ଜଣ ଆହତ ହୋଇଛନ୍ତି । ଆହତମାନେ ଉୟୁନି ସହରର ଚାରୋଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବସ୍ ଡ୍ରାଇଭର ନିଶାରେ ଥିଲେ ବୋଲି ପୋଲିସ କହିଛି।ଏହି ସପ୍ତାହାନ୍ତରେ ଓରୁରୋ କାର୍ନିଭାଲ୍ ଅନୁଷ୍ଠିତ ହେଉଥିବା ବେଳେ ଏକ ବସ୍ ଓରୁରୋ ସହରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି କାର୍ନିଭାଲ୍ ଲାଟିନ୍ ଆମେରିକାର ସବୁଠାରୁ ବଡ଼ ଉତ୍ସବ ମଧ୍ୟରୁ ଗୋଟିଏ ଏବଂ ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତି। ରାସ୍ତାରେ ଓଲଟି ପଡ଼ିଥିବା ବସ୍‌ଟିକୁ କ୍ରେନ୍ ସାହାଯ୍ୟରେ ସିଧା କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ସେମାନେ ପୀଡିତମାନଙ୍କୁ ଚିହ୍ନଟ କରିବାକୁ ଏବଂ ଆହତମାନଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି । କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

You missed