ଭୂବନେଶ୍ୱର, ୦୨/୦୩ : ଦୀର୍ଘ ୪୭ ବର୍ଷ ପରେ ବଦଳିପାରେ ଦେଶର ରାଜନୈତିକ ଚିତ୍ର । ପରିବର୍ତନ ହେବ ସଂସଦୀୟ କ୍ଷେତ୍ର । ଖୁବଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଓଡ଼ିଶାର କେଉଁ ଲୋକସଭା କ୍ଷେତ୍ର ଭାଙ୍ଗିବ ଏବଂ କେଉଁ ଆସନ ନୂଆ ହେବ ତାକୁ ନେଇ ଆଲୋଚନା ଚାଲିଛି ।
ଓଡିଶାର ଲୋକସଭା ଆସନ ୨୧ ବଦଳରେ ୨୮ ହେବ ବୋଲି କୁହାଯାଉଛି । କୁହାଯାଉଛି, ସୀମା ପୁନଃନିର୍ଦ୍ଧାରଣ ସମୟରେ ଜନସଂଖ୍ୟା ହେବ ବଡ଼ ମାନଦଣ୍ଡ । ଅର୍ଥାତ ଯେଉଁ ସଂସଦୀୟ କ୍ଷେତ୍ରରେ ଲୋକସଂଖ୍ୟା ଅଧିକ, ତାକୁ ଭଙ୍ଗାଯାଇ ନୂଆ ଆସନ ସୃଷ୍ଟି ହୋଇପାରେ । ଏବେ ଓଡିଶାର ୨୧ ସଂସଦୀୟ କ୍ଷେତ୍ର ଭିତରୁ କିଛି ଆସନ ଅଛି ଯେଉଁଠି ୨୦୨୪ ନିର୍ବାଚରେ ଭୋଟର ସଂଖ୍ୟା ବଢିଛି ।ତେଣୁ ଯଦି ଆଗକୁ ଡିଲିମିଟେସନ ହୁଏ, ଏହି ଆସନର ପାଳି ପଡିପାରେ ବୋଲି ଚର୍ଚ୍ଚା ହେଉଛି । ଶେଷ ଥର ପାଇଁ ୧୯୭୭ରେ ଓଡିଶାର ବିଧାନସଭା ଆସନ ବଢିଥିଲା । ୧୪୦ରୁ ବଢି ୧୪୭ରେ ପହଞ୍ଚିଥିଲା । ଡିଲିମିଟେସନ ହେଲେ ଲୋକସଭା ଅନୁପାତରେ ବିଧାନସଭା ଆସନ ସଂଖ୍ୟା ୧୯୬କୁ ବୃଦ୍ଧି ପାଇପାରେ ।



