Spread the love

କିଭ୍‌: ଋଷ ୟୁକ୍ରେନ ଉପରେ ଏକ ଭୟଙ୍କର ଏୟାରଷ୍ଚ୍ରାଇକ କରିଛି । ଯାହାକି ଏଯାବତ ବିଶ୍ୱରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ୟୁକ୍ରେନ ଉପରେ ଏହି ଭୟଙ୍କର ଆକ୍ରମଣ ହୋଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥି କରୁଥିଲେ।

ହେଲେ ଏବେ ପୁଟିନଙ୍କ ଆକ୍ରମଣ ଶୈଳୀ ଦେଖି ଟ୍ରମ୍ପ ରୁଷ ପୁଟିନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଆକ୍ରମଣ, ଯୁଦ୍ଧ ଆରମ୍ଭ ହେବା ପରେ ରୁଷର ସବୁଠାରୁ ଘାତକ ବୋଲି ବିବେଚନା କରାଯାଉଛି। ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଅନେକ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଛି। ଟ୍ରମ୍ପ ଏହି ଘଟଣାକୁ ‘ରୁଷର ପତନର ପଥ’ ବୋଲି କହିଛନ୍ତି।ନ୍ୟୁଜର୍ସିର ମୋରିସଟାଉନ ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ‘ପୁଟିନଙ୍କ ଏପରି କାମ ମୋତେ ଆଦୌ ପସନ୍ଦ ନୁହେଁ। ସେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ମୁଁ ତାଙ୍କୁ ବହୁ ବର୍ଷ ଧରି ଜାଣେ ଓ ତାଙ୍କ ସହ ମୋର ସବୁବେଳେ ଭଲ ସମ୍ପର୍କ ରହିଛି। କିନ୍ତୁ ଏବେ ସେ କିଭ୍‌ ଓ ଅନ୍ୟ ସହରମାନଙ୍କୁ ରକେଟ ମାଡ଼ କରୁଛନ୍ତି। ମୁଁ ଏହାକୁ ମୋଟେ ସମର୍ଥନ କରୁ ନାହିଁ।’ ସେ ଆହୁରି କହିଛନ୍ତି, ‘ଆମେ ଶାନ୍ତି ଆଲୋଚନା କରୁଥିବା ବେଳେ ସେ ସହର ଗୁଡିକ ଉପରେ ବୋମା ପକାଉଛନ୍ତି। ପୁଟିନଙ୍କ ମନରେ କିଛି ପରିବର୍ତ୍ତନ ହୋଇଛି, ଯାହା ମୋତେ ପସନ୍ଦ ନୁହେଁ।’ଋଷ ଶନିବାର ରାତିରେ ୟୁକ୍ରେନ ଉପରେ ୩୬୭ଟି ଡ୍ରୋନ ଓ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଆକ୍ରମଣରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ସହର ଓ ଗାଁ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ସୈନ୍ୟ ଦାବି କରିଛନ୍ତି ଯେ, ସେମାନେ ୪୫ଟି କ୍ଷେପଣାସ୍ତ୍ର ଏବଂ ୨୬୬ଟି ଡ୍ରୋନକୁ ଧ୍ୱଂସ କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆକ୍ରମଣକୁ ନିନ୍ଦା କରି ଆନ୍ତର୍ଜାତିକ ସମୁଦାୟଙ୍କ ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଆମେରିକା ଓ ଅନ୍ୟ ଦେଶମାନଙ୍କର ମୌନତା ପୁଟିନଙ୍କୁ ଆହୁରି ଉତ୍ସାହିତ କରୁଛି। ଯଦି ବିଶ୍ୱ ଏକଜୁଟ ହୋଇ ଚାପ ନ ଦିଏ, ଏହି ଯୁଦ୍ଧ ବନ୍ଦ ହେବ ନାହିଁ।’ଟ୍ରମ୍ପ ନିକଟରେ ୟୁକ୍ରେନ ଓ ରୁଷ ମଧ୍ୟରେ ଏକ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲେ। ସେ ଗତ ସପ୍ତାହରେ ପୁଟିନ ଓ ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ପୁଟିନଙ୍କ ସହ ତାଙ୍କର ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କଥାବାର୍ତ୍ତା ହୋଇଥିଲା। କିନ୍ତୁ, ତୁର୍କୀରେ ଯୋଜନା ହୋଇଥିବା ଏକ ଶାନ୍ତି ଆଲୋଚନାରେ ପୁଟିନ ଅଂଶଗ୍ରହଣ ନ କରିବା ଏବଂ ଏହା ପରିବର୍ତ୍ତେ ସାମରିକ ଆକ୍ରମଣକୁ ତୀବ୍ର କରିବା ଶାନ୍ତି ପ୍ରୟାସକୁ ବାଧା ଦେଇଛି।ନିଜର ସାମାଜିକ ମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଟ୍ରମ୍ପ ଲେଖିଛନ୍ତି ଯେ, ଅତୀତରେ ପୁଟିନଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା, କିନ୍ତୁ ଏବେ ପୁଟିନଙ୍କ ଆଚରଣରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ସେ ଏହାକୁ ‘ଅସ୍ୱାଭାବିକ’ ବୋଲି ଅଭିହିତ କରିଛନ୍ତି।ଜେଲେନସ୍କି ଆନ୍ତର୍ଜାତିକ ସମୁଦାୟଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଯୁଦ୍ଧ ରୋକିବା ପାଇଁ ଅଧିକ କଡ଼ା ପଦକ୍ଷେପ ଆବଶ୍ୟକ। ସେ କହିଛନ୍ତି, ‘ବିଶ୍ୱ ଛୁଟିରେ ରହିପାରେ, କିନ୍ତୁ ଯୁଦ୍ଧ ସପ୍ତାହାନ୍ତ କିମ୍ବା ସାପ୍ତାହିକ ଦିନରେ ବି ଚାଲିଥାଏ।’ ଏହି ଆକ୍ରମଣ ଓ ଏହା ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ୟୁକ୍ରେନ-ରୁଷ ସଂଘର୍ଷରେ ନୂଆ ଅଡ଼ୁଆ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *