Spread the love

ନୁଆଦିଲ୍ଲୀ, ୦୩/୦୬ : ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସିଥିବା ‘ଅନ୍-ସ୍କ୍ରିନ୍ ମାର୍କିଂ ବା OSM ସେବା କ୍ରୟରେ ହୋଇଥିବା ଅନିୟମିତତା ଅଭିଯୋଗକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଗମ୍ଭୀରତାର ସହ ନେଇଛି । ଏହି ବିବାଦ ଭିତରେ ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କୁ ତୁରନ୍ତ ବଦଳି କରାଯାଇଛି ।

ସେହିପରି ହାଇଦ୍ରାବାଦର ‘କୋଏମ୍ପ୍ଟ ଏଜୁଟେକ୍ ପ୍ରାଇଭେଟ୍ ଲିମିଟେଡ୍’ କମ୍ପାନୀକୁ ଟେଣ୍ଡର ଦେବା ପ୍ରକ୍ରିୟାର ତଦନ୍ତ ପାଇଁ ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂ ବିଦା ହେବା ପରେ ସିବିଏସଇ ଅଧ୍ୟକ୍ଷ ହୋଇଛନ୍ତି ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ । ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତି ମିଳିଛି ।

୨୦୨୬ ମସିହାରେ ପ୍ରଥମ ଥର ପାଇଁ ସିବିଏସଇ ବଡ଼ ଆକାରରେ ଦ୍ଵାଦଶ ଶ୍ରେଣୀର ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀଙ୍କ ୪୦ କୋଟି ପୃଷ୍ଠାର ଖାତାକୁ ଡିଜିଟାଲ୍ ସ୍କାନିଂ କରି ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ବ୍ୟବସ୍ଥା ସ୍ୱଚ୍ଛତା ପାଇଁ କରାଯାଇଥିଲେ ମଧ୍ୟ ଏଥିରେ ବ୍ୟାପକ ତ୍ରୁଟି ଦେଖାଦେଇଥିଲା । ଖାତାର ସ୍କାନିଂ କ୍ୱାଲିଟି ଅତ୍ୟନ୍ତ ଖରାପ ଓ ଅସ୍ପଷ୍ଟ ରହିବା। କେତେକ ଖାତାର ପୃଷ୍ଠା ଗାୟବ ହେବା ଏବଂ ମାର୍କିଂ ପୋର୍ଟାଲ୍ ରେ ବୈଷୟିକ ତ୍ରୁଟି ଦେଖାଦେବା। ଛାତ୍ରଛାତ୍ରୀମାନେ ଅପେକ୍ଷାକୃତ ବହୁତ କମ୍ ମାର୍କ ପାଇବା, ଯାହାଫଳରେ ଚଳିତ ବର୍ଷ ପାସ୍ ହାର କମିଯାଇଛି।

ଶିକ୍ଷା ମନ୍ତ୍ରାଳୟ ସିବିଏସଇଠାରୁ ଟେଣ୍ଡର ପ୍ରକ୍ରିୟା ଏବଂ ବୈଷୟିକ ପ୍ରସ୍ତୁତିର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛି। ସାଧାରଣ ଆର୍ଥିକ ନିୟମ ଉଲ୍ଲଂଘନ ଏବଂ ପ୍ରିୟାପ୍ରୀତି ତୋଷଣର ଯାଞ୍ଚ କରାଯାଉଛି। ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନିୟମିତତା ପ୍ରମାଣିତ ହେଲେ ଅନେକ ବଡ଼ ବଡ଼ ଅଧିକାରୀଙ୍କ ପଦବୀ ଯାଇପାରେ। ଟେଣ୍ଡର ପ୍ରକ୍ରିୟା ନିୟମ ଅନୁଯାୟୀ ହୋଇଥିଲା, କିନ୍ତୁ କିଛି ବୈଷୟିକ ତ୍ରୁଟି ଯୋଗୁଁ ୬୮,୦୦୦ରୁ ଅଧିକ ଖାତାକୁ ପୁଣିଥରେ ସ୍କାନିଂ କରି ମୂଲ୍ୟାୟନ କରାଯାଉଥିବା କହିଛି ସିବିଏସଇ । ଏହି ଘଟଣାକୁ ନେଇ ସାରା ଦେଶର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂସଦୀୟ ସ୍ଥାୟୀ ସମିତି ମଧ୍ୟ ଏହି ମାମଲାର ସମୀକ୍ଷା ପାଇଁ ସିବିଏସଇ ଏବଂ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ସମନ କରିଛି। ତଦନ୍ତ ଆଗକୁ ବଢ଼ିବା ସହ ଆଗାମୀ ଦିନରେ ଏହି ମାମଲା ଆହୁରି ଗମ୍ଭୀର ରୂପ ନେଇପାରେ।

Leave a Reply

Your email address will not be published. Required fields are marked *