Spread the love

ଗଭୀର ଅବପାତର ପ୍ରଭାବ: ୬ ଜିଲ୍ଲାର ୩୭ ବ୍ଲକ ଜଳମଗ୍ନ, ୮ ହଜାରରୁ ଅଧିକ ସ୍ଥାନାନ୍ତର

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ଷାରେ ୬ଟି ଜିଲ୍ଲାର ୩୭ଟି ବ୍ଲକ, ୧୬୦ଟି ଗ୍ରାମ ପଞ୍ଚାୟତ ଓ ୨୩୭ଟି ଗାଁ ପ୍ରଭାବିତ ହୋଇଛି। ଏଥିସହ ୫ଟି ସହରାଞ୍ଚଳର ୨୧ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୮,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୮,୦୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପରିସ୍ଥିତି ଉପରେ ନଜର ରଖିବା ସହ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ୫ ଜଣ ଅଧିକାରୀଙ୍କୁ ଫିଲ୍ଡକୁ ପଠାଇଛନ୍ତି। ଏହାପୂର୍ବରୁ ବୁଧବାର ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକର ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ଜଣ ମନ୍ତ୍ରୀଙ୍କୁ ମଧ୍ୟ ପଠାଯାଇଥିଲା।

ଗଜପତିରେ ଭୂସ୍ଖଳନ ଆଶଙ୍କା

ବର୍ଷା ପରେ ଗଜପତିର କେତେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଜପତି ଗସ୍ତ କରି ସ୍ଥିତିର ସମୀକ୍ଷା କରୁଛନ୍ତି।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ରାସ୍ତାକଡ଼ର ପାହାଡ଼ ଅଞ୍ଚଳ ଉପରେ ପ୍ରଶାସନ ନଜର ରଖିଛି। ସମ୍ଭାବ୍ୟ ଭୂସ୍ଖଳନକୁ ମୁକାବିଲା ପାଇଁ ଆବଶ୍ୟକ ସ୍ଥାନରେ କର୍ମଚାରୀ ମୁତୟନ ସହ ବ୍ୟାରିକେଡ୍ କରାଯାଇଛି।

କୌଣସି ସ୍ଥାନରେ ଭୂସ୍ଖଳନ ହେଲେ ତୁରନ୍ତ ଯାତାୟାତ ବନ୍ଦ କରି ରାସ୍ତା ସଫା କରାଯିବ। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସାଧାରଣ ଯାତାୟାତ ଉପରେ ମଧ୍ୟ ଆବଶ୍ୟକ ପ୍ରତିବନ୍ଧକ ଲଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *