ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ପରିବେଶ ଦିବସ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ
ଢେଙ୍କାନାଳ, ୫ ଜୁନ ୨୦୨୬:
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ର ଏକ ସଂସ୍ଥା, ପକ୍ଷରୁ ଶୁକ୍ରବାର ବିଶ୍ୱ ପରିବେଶ ଦିବସ-୨୦୨୬ ଏବଂ କେନ୍ଦ୍ରର ୩୧ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି।
“Inspired by Nature, for Climate, for Our Future” (ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ଓ ଆମ ଭବିଷ୍ୟତ) ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳ ସମୟରେ ଏକ ଲୋକପ୍ରିୟ ବିଜ୍ଞାନ ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଢେଙ୍କାନାଳ ସ୍ଥିତ ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ରସାୟନ ବିଭାଗର ମୁଖ୍ୟ ଡ଼ଃ ଶୁଭକାନ୍ତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ପ୍ରକୃତି ସହ ସନ୍ତୁଳିତ ଜୀବନଶୈଳୀର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍. ଏମ୍. ରାଉତ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, “ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପୃଥିବୀ ଗଢ଼ିବାକୁ ହେଲେ ପ୍ରକୃତି ସଂରକ୍ଷଣ ଓ ପରିବେଶ ପ୍ରତି ସଚେତନତା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା। ପ୍ରାକୃତିକ ସମ୍ପଦକୁ ବିବେକପୂର୍ଣ୍ଣ ଭାବେ ବ୍ୟବହାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।”
ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓ ଦର୍ଶକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ଏକ ବିଜ୍ଞାନ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା ଏବଂ ବିଜ୍ଞାନ କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଜ୍ଞାନପ୍ରେମୀମାନେ ଯୋଗଦେଇ ପରିବେଶ ସଂରକ୍ଷଣ ପାଇଁ ସାମୂହିକ ପ୍ରୟାସର ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମଟି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଏଜୁକେସନ୍ ଆସିଷ୍ଟାଣ୍ଟ ଶ୍ରୀ ଶଙ୍କର ଗୁରୁଙ୍ଗଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।



