
ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାଶ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ମାନ୍ୟବର ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ପୂର୍ବତନ ବିଧାୟକ ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ବବିତା ପ୍ରଧାନ, ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ବିପ୍ଲବ ଜେନା, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତଙ୍କ ସମେତ ବହୁ ଜନପ୍ରତିନିଧି, ଦଳୀୟ ପଦାଧିକାରୀ ଓ କର୍ମୀମାନେ ଯୋଗଦେଇଥିଲେ।
ବିକ୍ଷୋଭ ଶୋଭାଯାତ୍ରା ପରେ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଘଟଣାର ନିରପେକ୍ଷ ତଦନ୍ତ, ଦୁର୍ନୀତିର ପର୍ଦ୍ଦାଫାଶ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।



