ଇରାନକୁ ଅଣୁଅସ୍ତ୍ର ହାସଲ କରିବାକୁ ଦେବୁନାହିଁ: ଟ୍ରମ୍ପ
ୱାଶିଂଟନ, ୧୩/୯: ଇରାନର ଆଣବିକ ଆକାଂକ୍ଷାକୁ ନେଇ ଆମେରିକାର କଠୋର ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୯/୧୧ ଆତଙ୍କବାଦୀ ଆକ୍ରମଣର ୨୫ତମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, କୌଣସି ପରିସ୍ଥିତିରେ ଇରାନକୁ ଅଣୁଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ।
୯/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟ୍ରମ୍ପ ଆମେରିକୀୟମାନଙ୍କୁ ଅଧିକ ସୁଦୃଢ଼ ଓ ସଜାଗ ହେବାକୁ ଆହ୍ୱାନ କରିଥିଲେ। ଏହି ଆକ୍ରମଣ ହଠାତ୍ ଘଟିଥିଲା ଏବଂ ସେତେବେଳେ ଆମେରିକା ଏଭଳି ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା ବୋଲି ସେ କହିଥିଲେ।
ଇରାନ ସହ ଚାଲିଥିବା ସଂଘାତ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ, ଇରାନର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକା ପକ୍ଷରୁ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରାଯାଇଛି। ଇରାନର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିବାରୁ ଦେଶଟି ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେବ ବୋଲି ସେ ଦାବି କରିଛନ୍ତି।
ଏଥିସହ ଭବିଷ୍ୟତରେ ଇରାନ ଯେପରି ଅଣୁଅସ୍ତ୍ର ହାସଲ କରିନପାରେ, ସେଥିପାଇଁ ଆମେରିକା ସତର୍କ ରହିଥିବା ଟ୍ରମ୍ପ କହିଛନ୍ତି। ଇରାନକୁ ଅଣୁଅସ୍ତ୍ରରୁ ଦୂରେ ରଖିବା ଆମେରିକାର ପ୍ରମୁଖ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।
୯/୧୧ର କଳା ଅଧ୍ୟାୟ
୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨,୯୭୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ଚାରିଟି ଯାତ୍ରୀବାହୀ ବିମାନ ଅପହରଣ କରିଥିଲେ। ଏଥିରୁ ଦୁଇଟି ବିମାନ ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଧକ୍କା ଦେଇଥିବା ବେଳେ ଅନ୍ୟ ଗୋଟିଏ ବିମାନ ପେଣ୍ଟାଗନ୍ରେ ମାଡ଼ ହୋଇଥିଲା।
ଚତୁର୍ଥ ବିମାନର ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଅପହରଣକାରୀଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ବିମାନଟି ପେନ୍ସିଲଭେନିଆରେ ଖସିପଡ଼ିଥିଲା। ଏହି ଭୟାବହ ଆକ୍ରମଣ ଆମେରିକାର ଇତିହାସରେ ଏକ ଅତ୍ୟନ୍ତ ଦୁଃଖଦ ଓ ଐତିହାସିକ ଘଟଣା ଭାବେ ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଛି।



