Spread the love

ଢେଙ୍କାନାଳ ଜିଲ୍ଲାରେ ବୁଲା ଗୋରୁଗାଈଙ୍କୁ ପ୍ରତିଫଳକ (ରିଫ୍ଲେକ୍ଟିଭ୍) ରେଡିୟମ ବେଲ୍ଟ ପିନ୍ଧାଇବା କାର୍ଯ୍ୟକ୍ରମ*

ଢେଙ୍କାନାଳ, ୦୫ ଅଗଷ୍ଟ ୨୦୨୬:
ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ” ଗୋମାତା ସୁରକ୍ଷା ଯୋଜନା ” ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାରେ ବୁଲା ଗୋରୁଗାଈମାନଙ୍କୁ ପ୍ରତିଫଳକ (ରିଫ୍ଲେକ୍ଟିଭ୍) ରେଡିୟମ ବେଲ୍ଟ ପିନ୍ଧାଇବା କାର୍ଯ୍ୟକ୍ରମ ଜୋରଦାର ଭାବେ ଆରମ୍ଭ କରାଯାଇଛି। ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଜିଲ୍ଲାରେ ସମୁଦାୟ ୨,୬୭୩ଟି ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ ବୁଲା ଗୋରୁଗାଈଙ୍କୁ ପିନ୍ଧାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଅଭିଯାନର ଅଂଶ ସ୍ୱରୂପ ଆଜି ବିଭିନ୍ନ ସ୍ଥାନରେ ବୁଲା ଗୋରୁଗାଈଙ୍କୁ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ ପିନ୍ଧାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ), ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ (ରୋଗ ନିରାକରଣ), ଉପ-ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀଚିକିତ୍ସାଳୟ, ମୋବାଇଲ ଭେଟେରିନାରୀ ୟୁନିଟ୍ (MVU) ଟିମ୍, ପ୍ରାଣୀ ଜରୁରୀକାଳୀନ ସହାୟତା ଟିମ୍ (AHL), ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI), ପୌର ପ୍ରଶାସନ ଏବଂ ପ୍ରାଣୀ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ରିୟ ସହଯୋଗ କରିଥିଲେ। ଏହି ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟଗୁଡ଼ିକ ରାତି ସମୟରେ ଯାନବାହନର ହେଡ୍‌ଲାଇଟ୍ ଆଲୋକରେ ଦୂରରୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଥାଏ। ଫଳସ୍ୱରୂପ ଚାଳକମାନେ ପୂର୍ବରୁ ସତର୍କ ହୋଇ ଯାନର ଗତି ନିୟନ୍ତ୍ରଣ କରିପାରନ୍ତି, ଯାହାଦ୍ୱାରା ବୁଲା ଗାଈଙ୍କ ସହ ହେଉଥିବା ଦୁର୍ଘଟଣାକୁ ବହୁ ପରିମାଣରେ ରୋକାଯାଇପାରିବ। ଏହି ଯୋଜନାର ସୁପରିଚାଳନା କଲେ ରାତ୍ରି ସମୟରେ ବୁଲା ଗାଈଙ୍କ ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣା ହ୍ରାସ ପାଇବ। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସହରାଞ୍ଚଳର ବ୍ୟସ୍ତ ସଡ଼କରେ ଗୋରୁଗାଈମାନଙ୍କର ଦୃଶ୍ୟମାନତା ବୃଦ୍ଧି ପାଇବ ।ଗୋରୁଗାଈଙ୍କ ଜୀବନ ସୁରକ୍ଷିତ ରହିବ ଏବଂ ଯାନ ଧକ୍କାଜନିତ ଆହତ କିମ୍ବା ମୃତ୍ୟୁ ହ୍ରାସ ପାଇବ। ଯାନ ଚାଳକ, ପଥଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେବ। ଯାନବାହନର କ୍ଷତି ଏବଂ ଦୁର୍ଘଟଣାଜନିତ ଆର୍ଥିକ କ୍ଷତି କମିବ। ପ୍ରାଣୀ କଲ୍ୟାଣ ସହିତ ସଡ଼କ ସୁରକ୍ଷା ପ୍ରତି ସାମାଜିକ ସଚେତନତା ବୃଦ୍ଧି ପାଇବ। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୁଲା ଗାଈଙ୍କ କାରଣରୁ ବିଶେଷକରି ରାତ୍ରି ସମୟରେ ସଡ଼କ ଦୁର୍ଘଟଣା ଏକ ଗୁରୁତର ସମସ୍ୟା ହୋଇଉଠିଛି। ଏହି ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ ବ୍ୟବହାର ଦ୍ୱାରା ଗାଈମାନଙ୍କୁ ଦୂରରୁ ସହଜରେ ଚିହ୍ନଟ କରିହେବ, ଯାହା ମାନବ ଜୀବନ ଓ ପ୍ରାଣୀ ସମ୍ପଦ ଉଭୟଙ୍କ ସୁରକ୍ଷାରେ ଏକ ଫଳପ୍ରଦ ପଦକ୍ଷେପ। ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, NHAI, ପ୍ରାଣୀ ସମ୍ପଦ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନସାଧାରଣଙ୍କ ସମ୍ମିଳିତ ସହଯୋଗରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୨,୬୭୩ଟି ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ ପିନ୍ଧାଇବା ଲକ୍ଷ୍ୟ ସଫଳତାର ସହ ପୂରଣ କରାଯିବ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ପ୍ରଭାସ କୁମାର ବେହେରା ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *