ନୁଆହାତା, ବଅଁରପାଳର ବାସିନ୍ଦା ତଥା ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଭେଣ୍ଡର ସଂସ୍ଥା SGB Brandsafway Private Limited ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟରତ ଶ୍ରୀ ସୁଶାନ୍ତ ସାମଲ (୪୦)ଙ୍କ ଅକାଳ ବିୟୋଗରେ ଆମେ ଗଭୀର ଭାବେ ମର୍ମାହତ।
୬ ଅଗଷ୍ଟ ୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବ୍ଲାଷ୍ଟ ଫର୍ନେସ୍ ନିକଟରେ ଥିବା ଏକ ବିଶ୍ରାମ ସ୍ଥାନରେ ବିଶ୍ରାମ କରୁଥିବା ସମୟରେ ଶ୍ରୀ ସାମଲ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ସମ୍ପର୍କରେ ସହକର୍ମୀମାନଙ୍କୁ ଜଣାଇଥିଲେ। ତାଙ୍କୁ ତୁରନ୍ତ ଅଚେତନ ଅବସ୍ଥାରେ ଚିକିତ୍ସା ପାଇଁ ଟାଟା ମେନ୍ ହସ୍ପିଟାଲ୍ (TMH), ମେରାମଣ୍ଡଳୀକୁ ଅଣାଯାଇଥିଲା। ଆକ୍ୟୁଟ କୋରୋନାରୀ ସିଣ୍ଡ୍ରୋମ୍ (Acute Coronary Syndrome) ହୋଇଥିବାର ସନ୍ଦେହ କରାଯାଇ ଜରୁରୀକାଳୀନ ଚିକିତ୍ସାର ଅଂଶ ଭାବେ ନିରନ୍ତର CPR ଦିଆଯାଇଥିଲା।
TMHରେ ପ୍ରାରମ୍ଭିକ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ପରେ, ଉନ୍ନତ ଚିକିତ୍ସା ପାଇଁ ଶ୍ରୀ ସାମଲଙ୍କୁ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ୍କୁ ରେଫର୍ କରାଯାଇଥିଲା। ଡାକ୍ତର ଏବଂ ମେଡିକାଲ୍ ଷ୍ଟାଫ୍ଙ୍କ ସହିତ ଏକ Advanced Cardiac Life Support (ACLS) ସୁବିଧାଯୁକ୍ତ ଆମ୍ବୁଲାନ୍ସରେ ତାଙ୍କୁ କଟକ ନିଆଯାଉଥିଲା ଏବଂ ସେହି ସମୟରେ ତାଙ୍କ ଭାଇ ମଧ୍ୟ ସାଙ୍ଗରେ ଯାଇଥିଲେ। ଦୁଃଖର ବିଷୟ, କଟକ ଯିବା ବାଟରେ ଶ୍ରୀ ସାମଲଙ୍କର ଦେହାନ୍ତ ହୋଇଥିଲା।
ଟାଟା ଷ୍ଟିଲ୍ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ଏବଂ ଏହି ଦୁଃଖଦ ସମୟରେ ସେମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି। ପ୍ରଚଳିତ ନୀତି ଓ ପ୍ରକ୍ରିୟା ଅନୁଯାୟୀ କମ୍ପାନୀ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଜାରି ରହିବ।
ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଉପଲବ୍ଧ ସୂଚନା ଆଧାରରେ ଏହା ଏକ ଚିକିତ୍ସାଜନିତ ଜରୁରୀ ପରିସ୍ଥିତି (ଆକ୍ୟୁଟ କୋରୋନାରୀ ସିଣ୍ଡ୍ରୋମ୍ ହୋଇଥିବାର ସନ୍ଦେହ) ଥିଲା। ଏଥିରେ କୌଣସି କାର୍ଯ୍ୟସ୍ଥଳୀ ଘଟଣା କିମ୍ବା ପ୍ଲାଣ୍ଟ ସମ୍ପର୍କିତ ଦୁର୍ଘଟଣା ଘଟିନଥିଲା।
ଟାଟା ଷ୍ଟିଲ୍ ଏହାର ପ୍ଲାଣ୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ଶ୍ରମିକ ମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରତି ସର୍ବଦା ପ୍ରତିବଦ୍ଧ ବୋଲି ଟାଟା ଷ୍ଟିଲ୍ ପକ୍ଷରୁ କୁହାଯାଇଛି।



