ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନଏସଏସ (NSS) ଦିବସ ପାଳିତ; ଯୁବ ନେତୃତ୍ୱକୁ ପ୍ରୋତ୍ସାହନ
ଢେଙ୍କାନାଳ, ୨୪ ସେପ୍ଟେମ୍ବର: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନଏସଏସ ସହ-ଶାଖା ପକ୍ଷରୁ ଗୁରୁବାର ଦିନ କଲେଜ ପରିସରରେ ‘ଏନଏସଏସ ଦିବସ ୨୦୨୬’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବସମାଜ ମଧ୍ୟରେ ସମାଜସେବା, ନେତୃତ୍ୱ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବରାଳ ସ୍ୱେଚ୍ଛାସେବୀମାନଙ୍କୁ “ଦେଶର ସୈନିକ” ଭାବେ ଅଭିହିତ କରି ପ୍ରୋତ୍ସାହିତ କରିବା ସହ ପ୍ରକୃତ ରାଷ୍ଟ୍ର ନିର୍ମାତା ଭାବରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାର ପ୍ରଶଂସା କରିଥିଲେ। ପ୍ରୋଗ୍ରାମ ଅଫିସର ଡ. ରବର୍ଟ ୱିଲସନ ଭତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଜାତୀୟ ସେବା ଯୋଜନାର (NSS) ମୂଳ ଲକ୍ଷ୍ୟ, ଦୂରଦୃଷ୍ଟି ଓ ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।
ମୁଖ୍ୟ ବକ୍ତା ଡ. ରଜନୀକାନ୍ତ ଖୁଣ୍ଟିଆ, ସହକାରୀ ଅଧ୍ୟାପକ ବାଣିଜ୍ୟ ବିଭାଗ, ସ୍ୱେଚ୍ଛାସେବାର ମୂଳ ଭାବନାକୁ ଜାଗ୍ରତ କରିବା ପାଇଁ ଏକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଦର୍ଶାଇଥିଲେ ଯେ କିପରି ବ୍ୟକ୍ତିବିଶେଷମାନେ ଏହା ମାଧ୍ୟମରେ ମୂଲ୍ୟବାନ କୌଶଳ ଓ ଉଦ୍ଦେଶ୍ୟ ହାସଲ କରନ୍ତି, ପ୍ରତିକୂଳ ପରିସ୍ଥିତିରେ ଆତ୍ମନିୟନ୍ତ୍ରଣ କିପରି କରାଯାଏ, ଧୈର୍ଯ୍ୟ ରଖନ୍ତି ଏବଂ ସମାଜର ବାସ୍ତବ ଆବଶ୍ୟକତା ଓ ଶୃଙ୍ଖଳା ବିଷୟରେ ଦୃଢ଼ ବୁଝାମଣା ବିକଶିତ କରନ୍ତି।
ଉପସ୍ଥିତ ଶ୍ରୋତାମାନଙ୍କୁ ସମ୍ବୋଧିତ କରି ପ୍ରଶାସନିକ ଅଧିକାରୀ ଡ. ବିଭୂଦତ୍ତ ଦାସ ସ୍ୱେଚ୍ଛାସେବୀମାନଙ୍କୁ ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣୁଥିବା ବ୍ୟକ୍ତି ଭାବେ ପ୍ରଶଂସା କରିଥିଲେ l
‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍’ରେ ପଞ୍ଜୀକରଣ ଓ ଅଂଶଗ୍ରହଣ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡି.ଏଚ.ଏସ.ଏସ (DHSS) ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ଇଂରାଜୀ ପିଜିଟି ଶ୍ରୀ ପବିତ୍ର ଜେନାଙ୍କ ସମେତ ବିପୁଳ ସଂଖ୍ୟାରେ ଏନଏସଏସ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
