Spread the love

ସେଲ୍ଫି ନେବା ବେଳେ ନଦୀରେ ଖସି ମହିଳା ନିଖୋଜ; ଜାରି ରହିଛି ଉଦ୍ଧାର ଅଭିଯାନ

ନବରଙ୍ଗପୁର, ୨୬/୦୯: ବନ୍ୟା ପାଣି ଦେଖିବାକୁ ପରିବାର ସହ ନଦୀ ନିକଟକୁ ଯାଇଥିବା ବେଳେ ଘଟିଲା ଅଘଟଣ। ଇନ୍ଦ୍ରାବତୀ ନଦୀ ପୋଲ ଉପରେ ସେଲ୍ଫି ନେଉଥିବା ସମୟରେ ଜଣେ ମହିଳା ନଦୀକୁ ଖସିପଡ଼ି ନିଖୋଜ ହୋଇଥିବା ଜଣାପଡ଼ିଛି।

ନିଖୋଜ ମହିଳା ଜଣକ ନବରଙ୍ଗପୁର ସହରର ମେଦରୀ ସାହିର ସିରିସା ନାଏକ ବୋଲି ଜଣାପଡ଼ିଛି। ଶୁକ୍ରବାର ସେ ପରିବାର ସଦସ୍ୟଙ୍କ ସହ ଇନ୍ଦ୍ରାବତୀ ନଦୀ ନିକଟକୁ ବନ୍ୟା ପରିସ୍ଥିତି ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ ପୋଲ ଉପରେ ଫଟୋ ଉଠାଉଥିବା ବେଳେ ସେ ନଦୀକୁ ଖସିପଡ଼ିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ତୁରନ୍ତ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ନଦୀରେ ପ୍ରବଳ ଜଳ ପ୍ରବାହ ଓ ଅନ୍ଧାର ହୋଇଯିବାରୁ ରାତିରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ମହିଳାଙ୍କ କୌଣସି ସନ୍ଧାନ ମିଳିନଥିବାରୁ ଆଜି ସକାଳୁ ପୁଣି ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି। ନଦୀର ଗଭୀରତା ଓ ପ୍ରବଳ ସ୍ରୋତ ମଧ୍ୟରେ ଉଦ୍ଧାରକାରୀ ଦଳ ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି। ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *