Spread the love

ବର୍ଷାରେ ଘର ଭାଙ୍ଗିଲେ ମିଳିବ ନୂଆ ଆବାସ; ୫ ଦିନ ମଧ୍ୟରେ ହେବ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ

ଭୁବନେଶ୍ୱର, ୨୫/୯: ଲଗାଣ ବର୍ଷାରେ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ମିଳିବ ନୂଆ ଆବାସ। ପ୍ରଭାବିତ ପରିବାରଗୁଡ଼ିକୁ ସରକାରୀ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି।

ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଥିବା ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଘରଦ୍ୱାର ସମେତ ବିଭିନ୍ନ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି। ବିଶେଷକରି କଚ୍ଚା ଘର ଭାଙ୍ଗିଯିବାରୁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୪ ଦିନର ବର୍ଷାରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଜାରି ରହିଲେ ଏହି ସଂଖ୍ୟା ବଢ଼ିପାରେ। କ୍ଷତିଗ୍ରସ୍ତ ପରିବାରଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ନୂଆ ଘର ଯୋଗାଇବାକୁ ପଦକ୍ଷେପ ନିଆଯିବ।

ବର୍ଷା କମିବା ପରେ ୫ ଦିନ ମଧ୍ୟରେ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଏହା ଆଧାରରେ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ଓ ଆବାସ ଯୋଗାଣ ପ୍ରକ୍ରିୟା ଆଗକୁ ବଢ଼ିବ।

ଅନ୍ୟପକ୍ଷରେ, ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ୬ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ପ୍ରଭାବିତ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖିବା ସହ ଖାଦ୍ୟ ଓ ଶୁଖିଲା ରାସନର ବ୍ୟବସ୍ଥା କରାଯାଇଛି।

ତେବେ ଇନ୍ଦ୍ରାବତୀ ନଦୀର ଜଳସ୍ତର ଏବେ ଧୀରେ ଧୀରେ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *