ତୁକୁଡା ଗ୍ରାମ ପଞ୍ଚାୟତକୁ ପଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କଲେ ଭାରତୀୟ ଡ଼ାକ ବିଭାଗ

ଜେ ବି ଏନ, ଅନୁଗୋଳ, (ରିପୋର୍ଟ, ଚୈତନ୍ୟ ସାହୁ), ୨୭/୨/୨୧- ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ତଥା ଜରପଡା ଥାନା ଅନ୍ତର୍ଗତ ତୁକୁଡା ଗ୍ରାମ ସଭାଗୃହ ଠାରେ ଶନିବାର କେନ୍ଦ୍ର ସରକାରଙ୍କ ଯୋଗାଯୋଗ ବିଭାଗ ତଥା ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ତୁକୁଡା ଗ୍ରାମକୁ ପଞ୍ଚ ତାରକା ଗ୍ରାମ ( ଫାଇଭ ଷ୍ଟାର ଭିଲେଜ) ଭାବେ ବିଧିବଦ୍ଧ ଭାବେ ନିଷ୍ପତି ନିଆଯିବା ସହିତ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଏହି ଅବସରରେ ତୁକୁଡା ଗ୍ରାମ ଠାରେ ଭାରତୀୟ ଡ଼ାକ ବିଭାଗ ଢେଙ୍କାନାଳ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ତପସ୍ୱିନୀ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୋଳ ଡାକ ବିଭାଗ ଡେପୁଟି ପୋଷ୍ଟ ମାଷ୍ଟର ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ରିଜିଓନ ଡାକ ବିଭାଗ ଆସିଷ୍ଟାଣ୍ଟ ଡାଇରେକ୍ଟର କମଳେନ୍ଦୁ ପଣ୍ଡା , ସହକାରୀ ଅଧିକ୍ଷକ ଜ୍ଞାନ ରଞ୍ଜନ ପ୍ରଧାନ , ଢେଙ୍କାନାଳ ମଣ୍ଡଳ ଡାକ ଅଧିକ୍ଷକ ଜମ୍ବେଶ୍ଵର ଗଡ଼ନାୟକ , ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଗ୍ରାମ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ବରିଷ୍ଠ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ସାହୁ , ସମବାୟ ସମିତି ସଭାପତି ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ଅବସରରେ ପଞ୍ଚ ତାରକା ଗ୍ରାମ ଭାବେ ଘୋଷଣା କରାଯିବାର ଲକ୍ଷ୍ୟ ତଥା ଉଦେଶ୍ୟ ସମ୍ପର୍କରେ ସବିଶେଷ ଭାବେ ଆଲୋଚନା । ବିଶେଷ କରି ଡାକ ବିଭାଗ ପକ୍ଷରୁ ସର୍ବ ପ୍ରଥମେ ଅନୁଗୋଳ ଜିଲ୍ଲାର ତୁକୁଡା ଗ୍ରାମ ପଞ୍ଚାୟତକୁ ପଞ୍ଚ ତାରକା ଅର୍ଥାତ୍ ଲାଇଭ ଷ୍ଟାର ଭିଲେଜ ଭାବେ ମାନ୍ୟତା ପ୍ରଦାନ କରିବା ସହ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ତେବେ ଏଥିରେ ଡ଼ାକ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସମସ୍ତ ପ୍ରକାର ଡାକ ସେବା ସୁବିଧା ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ସେଭିଙ୍ଗସ୍ ବ୍ୟାଙ୍କ ଡିପୋଜିଟ , ରେକରିଙ୍ଗ ଡିପୋଜିଟ , ଟାଇମ୍ ଡିପୋଜିଟ ,କିଷାନ ବିକାଶ ପତ୍ର ,ନାସନାଲ ସେଭିଙ୍ଗସ ସାର୍ଟିଫିକେଟ ଜମା କରାଯିବା , ସୁକନ୍ୟା ସମୃଦ୍ଧି ଯୋଜନା , ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ,ପୋଷ୍ଟାଲ ଲାଇଫ ଇନ୍ୟୁସୁରାନସ୍ , ରୁରାଲ ପୋଷ୍ଟାଲ ଲାଇଫ ଇନ୍ୟୁସୁରାନସ୍ , ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା , ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା , ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ ସହିତ ପୋଷ୍ଟାଲ ସେଭିଙ୍ଗସ ବ୍ୟାଙ୍କ ଲିଙ୍କ ଆଦି ପଞ୍ଚ ସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହି ଯୋଜନା ଶୁଭାରମ୍ଭ କରାଯାଇଥିବା ଜଣାପଡ଼ିଛି । ଅନ୍ୟ ମାନଙ୍କ ମଧ୍ୟରେ ତୁକୁଡା ଗ୍ରାମ ପୋଷ୍ଟ ମାଷ୍ଟର ଭାଗିରଥି ସାହୁ, ଜି ବି ଏସ ଜଗବନ୍ଧୁ ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କିଶୋରଗଞ୍ଜ ସବ୍ ପୋଷ୍ଟ ମାଷ୍ଟର ଛବି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ବିଭାଗୀୟ କର୍ମଚାରୀ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।



