ଛାଡ଼ିଗଲା ବର୍ଷା : ଘନେଇଲାଣି ଡ଼େଙ୍ଗୁ ଓ ମ୍ୟାଲେରିଆ ଭୟ
ତାଳଚେର, ୧୬/୦୭ ମଶା ଉପଦ୍ରବ ସହରରେ ବଢ଼ୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରସଂସ୍ଥା ପକ୍ଷରୁ ଏହା ଉପରେ ପ୍ରତିକାର ଓ ପଦକ୍ଷେପ ନିଆଯାଉ ନାହିଁ । ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ମଶାତେଲ ଯୋଗାଉଥିବା ବେଳେ ପୌରସଂସ୍ଥା କର୍ମଚାରୀଙ୍କ ଦ୍ୱାରା ନଳା ନର୍ଦ୍ଦମାରେ ପକାଯାଇଥାଏ । ପୌରସଂସ୍ଥାର ମଶାଧୂଆଁ ଛାଡ଼ିପାଇଁ ମେସିନ୍ ଥିଲେ ମଧ୍ୟ ତାହା କାଁଭାଁ ବ୍ୟବହାର ହେଉଛି । ଫଳରେ ମଶା ଉପଦ୍ରବକୁ ରୋକି ହେଉ ନାହିଁ, ସନ୍ଧ୍ୟା ଆସିଗଲେ ଭଣଭଣ ଶଦ୍ଦ, ଯଉଠି ବସି ପଡ଼ିଲେ ବସାଇ ଦେଉ ନାହାନ୍ତି ଏହାକୁ ନେଇ ଡ଼େଙ୍ଗୁ ଭୟ ମଧ୍ୟ ଲୋକଙ୍କ ମନରେ ସୃଷ୍ଟି ହେଉଛି । ପୌରାଚଂଳର ୨୧ଟି ୱାର୍ଡ଼ରେ ଥିବା ଡ଼୍ରେନ ଓ ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହି ମଶାଙ୍କ ବଂଶ ବୃଦ୍ଧି ପାଉଥିବା ବେଳେ ଡ଼୍ରେନ ଗୁଡ଼ିକ ନିୟମିତ ସଫା କରାଯାଉ ନାହିଁ । ମଶାବଂଶ ବୃଦ୍ଧିକୁ ରୋକିବା ପାଇଁ ପୌରସଂସ୍ଥା ଅସମର୍ଥ । କେତେକ ସ୍ଥାନରେ ନଳାକାମ ଆଦୌ ହେଉନଥିବା ବେଳେ ଆଉ କିଛି ସ୍ଥାନରେ ନଳା ଭାଙ୍ଗିରୁଜି ଯାଇଛି ଏବଂ ନଳା ଗୁଡ଼ିକ ଅଳିଆ ଆବର୍ଜନାରେ ଭର୍ତି । ଡ଼୍ରେନ ଜଳ ନିଷ୍କାସନ ପାଇଁ କୌଣସି ଯୋଜନା ହେଉନାହିଁ । ପୌରସଂସ୍ଥାରେ ମଶାଧୂଆଁ ମେସିନ୍ ରହିଥିଲେ ମଧ୍ୟ ତାହା ଠିକ୍ ଭାବରେ ବ୍ୟବହାର କରାଯାଉ ନାହିଁ । ମଶାତେଲ ପକାଇବାକୁ ପୌରସଂସ୍ଥା କିଛି ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ସାଧାରଣତଃ କହିବାକୁ ଗଲେ ପୌରସଂସ୍ଥା ନିଜ ଦାୟୀତ୍ୱ ଠିକ୍ ଭାବେ ତୁଲାଉନଥିବା ସହରବାସୀ ଅଭିଯୋଗ କରୁଛନ୍ତି । ବିଶେଷଜ୍ଞମାନେ ମତଦେଇଛନ୍ତି ଯେ, ମଶାମାନେ ପ୍ରାୟ ୩କିମି ରାସ୍ତା ଅତିକ୍ରମ କରି ତାଙ୍କ ବଂଶ ବିସ୍ତାର କରିପାରନ୍ତି । ସହରରେ ୩କିମି ମଧ୍ୟରେ ଏକାଧିକ ଡ଼୍ରେନ୍ରେ ପାଣି ଜମୁଥିବା ସ୍ଥାନରେ ଔଷଧ ସିଚଂନ କରାଗଲେ ମଶାବଂଶ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରନ୍ତା । ଜନସ୍ୱାସ୍ଥ୍ୟ ବିଭାଗ ଓ ପୌରକର୍ମଚାରୀ କେବେ କେମିତି ଗୋଟିଏ ଲେଖାଏଁ ୱାର୍ଡ଼ରେ କାମଚଳା ଭାବେ ଔଷଧ ସିଂଚନ କରାଯାଉଛି । ଯାହା ଫଳରେ ମଶାମାନେ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ପଳାଉଛନ୍ତି । ଔଷଧର ପ୍ରକୋପ ସାମାନ୍ୟ କମିବାପରେ ସେମାନେ ପୁନର୍ବାର ସେହି ସ୍ଥାନକୁ ଆସି ଅଣ୍ଡାଦେଇ ବଂଶ ବିସ୍ତାର କରିଥାନ୍ତି । ଏହା ଦ୍ୱାରା ସେମାନଙ୍କ ଦେହରେ ଔଷଧ ସହନଶକ୍ତି ବୃଦ୍ଧି ପାଇଥାଏ । ଭବିଷ୍ୟତରେ ସେମାନଙ୍କ ପାଇଁ ଏହି ଔଷଧ କାମ କରିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଫଳରେ ମଶାଙ୍କ ଉତ୍ପାତ ବୃଦ୍ଧି ପାଇବା ସହ ମ୍ୟାଲେରିଆ ଓ ଡ଼େଙ୍ଗୁ ପ୍ରଭୃତି ରୋଗରେ ଜନସାଧାରଣ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ତୁରନ୍ତ ପୌରସଂସ୍ଥା ଉଚିତ୍ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

