Spread the love

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ଯ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଭାରତରେ ମଦ ପ୍ରସ୍ତୁତ କରୁଥିବା ବ୍ରିଓ୍ବେରି କମ୍ପାନୀଗୁଡିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗ୍ୟାସ୍‌ ଅଭାବରୁ ମଦ ପାଇଁ ଉଦ୍ଦିଷ୍ଟ କାଚ ବୋତଲ ଏବଂ କ୍ୟାନ୍‌ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବଜାରରେ ମଦ ଯୋଗାଣ ହ୍ରାସ ପାଇବା ସହ ମୂଲ୍ୟ ବଢିବା ଆଶଙ୍କା ବଢାଇଛି।

ଗ୍ୟାସ୍‌ ଅଭାବକୁ ନେଇ ଏବେ କାଚ ବୋତଲ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି।

ଭାରତରେ କାରବାର କରୁଥିବା ପ୍ରମୁଖ ବିଶ୍ୱ ବିୟର ପ୍ରସ୍ତୁତକାରୀମାନେ ଏହି ନୂତନ ଚ୍ୟାଲେଞ୍ଜ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ହାଇନେକେନ୍, ଆନହ୍ୟୁଜର-ବୁସ୍ଚ ଇନବେଭ୍ ଏବଂ କାର୍ଲସବର୍ଗ ଭଳି କମ୍ପାନିଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା ବ୍ରୁଅର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ, କାଚ ବୋତଲର ମୂଲ୍ୟ ପ୍ରାୟ ୨୦% ବୃଦ୍ଧି ପାଇଛି। ଏହା ବ୍ୟତୀତ କ୍ୟାନ୍, କାଗଜ କାର୍ଟୁନ୍ ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ସାମଗ୍ରୀ, ଯେପରିକି ଲେବଲ୍ ଏବଂ ଟେପ୍, ପାଇଁ ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇଛି ।

ସେହିପରି କ୍ୟାନ୍‌ରେ ଆସୁଥିବା ବିୟର ପାଇଁ କ୍ୟାନ୍‌ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। କାରଣ କ୍ୟାନ୍‌ ତିଆରି ପାଇଁ ଆବଶ୍ୟକ ରହିଥିବା ଆଲୁମିନିୟମ ବିଦେଶରୁ ଆମଦାନୀ କରିବା ଏବେ ସହଜ ହେଉନାହିଁ। ଫଳରେ ଏବେ ଭାରତୀୟ ବଜାରରେ ମଦ ଏବଂ ବିୟର ମୂଲ୍ୟ ବଢିବ ବୋଲି ବ୍ରିୟୁର୍ସ ଆସୋସିଏସନ୍ ଅଫ୍‌ ଇଣ୍ଡିଆ କହିଛି। ମଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଏଥିସହ ଜଡ଼ିତ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଗ୍ୟାସ୍‌ର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ।

ଦେଶର ମୋଟ ଗ୍ୟାସ୍‌ ଚାହିଦା ମଧ୍ୟରୁ ୪୦ ଭାଗ କାତାରରୁ ଆମଦାନୀ କରାଯାଇଥାଏ। ହେଲେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମଦାନୀ ବନ୍ଦ ରହିଥିବାରୁ କାଚ ବୋତଲ ଉତ୍ପାଦନ ହ୍ରାସ ପାଇଛି। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିଥିବାରୁ ବୋତଲ ମୂଲ୍ୟ ପୂର୍ବ ତୁଳନାରେ ୨୦% ବୃଦ୍ଧି ପାଇଛି। ତେଣୁ ମଦ ମୂଲ୍ୟ ମଧ୍ୟ ୧୨ ରୁ ୧୫% ବୃଦ୍ଧି ହେବ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ବିନୋଦ ଗିରି ରଏଟର୍ସକୁ ସୂଚନା ଦେଇ କହିଛନ୍ତି। ଉତ୍ପାଦନ ଏବଂ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ଯୋଗୁ ମଦ ଏବଂ ବିୟର ମୂଲ୍ୟ ବୃଦ୍ଧି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *