Spread the love

ନିଳଗିରି : ବନବିଭାଗର ଜଣେ ଗାର୍ଡ଼ ଓ ତାଙ୍କ ବନ୍ଧୁଙ୍କୁ କୁଲଡିହା ରେଞ୍ଜର ରାତିରେ ପିଟିପିଟି ପିଠି ଫଟାଇଦେବା ଘଟଣାର ମାତ୍ର ୨୪ଘଣ୍ଟା ଭିତରେ ରେଞ୍ଜର ଜଣକ ମାଡ଼ ଖାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ବାଲେଶ୍ବର କୁରୁଡ଼ାସ୍ଥିତ ବନବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଗାର୍ଡ଼ ପଦ୍ମଲୋଚନ ପାତ୍ର ଗତକାଲି ବିଳମ୍ବିତ ରାତିରେ କପ୍ତିପଦା ଅଞ୍ଚଳରୁ ଏକ ବୋଲେରୋ ଗାଡ଼ିରେ ନୀଳଗିରିସ୍ଥିତ ଭଡ଼ାଘରକୁ ଫେରୁଥିଲେ।

ଏହି ସମୟରେ ନୀଳଗିରିର କୁଲଡିହା ବନବିଭାଗ ଗାଡ଼ିକୁ କାହିଁକି ଓଭରଟେକ କରିଲ କହି ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ବନକର୍ମଚାରୀମାନେ ଗରଡ଼ିହି ଛକ ନିକଟରେ ଆଡ୍ଡା କରି ଅତର୍କିତଭାବେ ଲୁହାଛଡ଼ ଓ ଠେଙ୍ଗାରେ ନିସ୍ତୁକ ପିଟି ଚାଲିଥିଲେ। ସେ ବନବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ ମଧ୍ୟ ରେଞ୍ଜର ଜଣକ ବର୍ବରତାର ସୀମା ଟପି ଗାର୍ଡ଼ଙ୍କ ସମେତ ତାଙ୍କ ବନ୍ଧୁ ତଥା ବିଦ୍ୟୁତ ବିଭାଗ କର୍ମଚାରୀ କ୍ଷୀରୋଦ ଦାସଙ୍କୁ ମଧ୍ୟ ପିଟି ଚାଲିଥିଲେ। ଏହି ଆକ୍ରମଣରେ ଉଭୟ ବନ୍ଧୁ ଗୁରୁତର କ୍ଷତାକ୍ତ ହୋଇଥିବା ବେଳେ ଗାର୍ଡ଼ଙ୍କ ବାମ ହାତଟି ଭାଙ୍ଗି ଯାଇଛି। ସମ୍ପ୍ରତି ଗୁରୁତର ହୋଇଥିବା ଗାର୍ଡ଼ ଓ ତାଙ୍କ ବନ୍ଧୁ ବାଲେଶ୍ବର ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ଗାର୍ଡ଼ଙ୍କ ପକ୍ଷରୁ ବରହମପୁର ଥାନାରେ ଏକ ଏତଲା ଦାଏର କରାଯାଇଛି। ଅପରପକ୍ଷରେ ଗତକାଲି ରାତିରେ ଗାର୍ଡ଼ଙ୍କୁ ଆକ୍ରମଣ କରିଥିବା ଏହି ରେଞ୍ଜର ଓ କେତେକ ବନକର୍ମଚାରୀ ଆଜି ରାତିରେ ରେମୁଣାସ୍ଥିତ ମେଡିକାଲ କଲେଜକୁ ସାକ୍ଷାତ କରିବାକୁ ଯାଇ କୁଆଡ଼େ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ଉତକ୍ଷିପ୍ତ ହୋଇ ରହିଥିବା ଗାର୍ଡ଼ଙ୍କ ସମ୍ପର୍କୀୟମାନେ ରେଞ୍ଜରଙ୍କୁ ଦେଖି ନିସ୍ତୁକ ଛେଚିବା ପରେ ସେ ମେଡିକାଲ ପାଚେରୀ ଡ଼େଇଁ ଚମ୍ପଟ ମାରିଥିବା ସୂଚନା ମିଳିଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଅନ୍ୟପକ୍ଷରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ରେଞ୍ଜ ଅଧିକାରୀ ଶ୍ରୀ ବେହେରାଙ୍କୁ ପଚରାଯିବାରୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *