Spread the love

ଆଇପିଏଲ-୧୯ର ପ୍ଲେଅଫ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ମେ’ ୨୬ରୁ ୩୧ ପର୍ଯ୍ୟନ୍ତ ପ୍ଲେଅଫ୍‌ ଖେଳାଯିବ। ପୂର୍ବରୁ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବାର ଥିଲା। ଏଥିର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଘୋଷିତ ପ୍ଲେଅଫ କାର୍ଯ୍ୟସୂଚୀରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌କୁ ବାଦ୍‌ ଦିଆଯାଇଛି।

ବେଙ୍ଗାଲୁରୁ ବଦଳରେ ମେ’ ୩୧ରେ ବିଶ୍ବର ସର୍ବବୃହତ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବ। କ୍ରମାଗତ ଦ୍ବିତୀୟ ଥର ପାଇଁ ଅହମ୍ମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବ।

ସାଧାରଣତଃ ଆଇପିଏଲ୍‌ ଫାଇନାଲ ପୂର୍ବ ବର୍ଷ ଟ୍ରଫି ଜିତିଥିବା ଦଳର ଘରୋଇ ପଡ଼ିଆରେ ଖେଳାଯାଏ। ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ୍‌ ଜିତିଥିଲା। ତେଣୁ ଆଇପିଏଲ-୨୦୨୬ର ଫାଇନାଲ ବେଙ୍ଗାଲୁରୁରେ ଖେଳାଯିବା କଥା। ହେଲେ ରାଜନୈତିକ କାରଣରୁ ବେଙ୍ଗାଲୁରୁରୁ ଫାଇନାଲ ମ୍ୟାଚ ଅହମ୍ମଦାବାଦ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବିସିସିଆଇ ଘୋଷଣା କରିଛି; କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ (କେଏସ୍‌ସିଏ) ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବା ବିସିସିଆଇ ପ୍ରତିଷ୍ଠିତ ମାର୍ଗଦର୍ଶିକାର ପରିପନ୍ଥୀ। ଫଳରେ ଫାଇନାଲକୁ ଆମେ ସ୍ଥାନାନ୍ତର କରୁଛୁ। ୨୦୨୫ରେ ଖରାପ ପାଣିପାଗ ଯୋଗୁ କଲକାତାର ଇଡେନ ଗାର୍ଡେନ୍‌ସ ବଦଳରେ ଅହମ୍ମଦାବାଦରେ ଫାଇନାଲ ଖେଳା ଯାଇଥିଲା। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆଇପିଏଲର ପ୍ଲେଅଫ୍‌ ଓ ଫାଇନାଲ ମ୍ୟାଚ ଲାଗି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ରାଜ୍ୟର ସମସ୍ତ ୨୨୪ ବିଧାୟକ, ୭୫ ବିଧାନ ପରିଷଦ ସଦସ୍ୟ , ୨୮ ଲୋକସଭା ସାଂସଦ ଓ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ୩ଟି ଲେଖାଏଁ ଭିଆଇପି ପାସ୍‌ ଦେବାକୁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *