Spread the love

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଦଳ ଭିତରେ ସାଂଗଠନିକ ପରିବର୍ତ୍ତନ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଛି।

ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ଉପରେ ମନ୍ଥନ ହୋଇଥିଲା।

ଏହାସହ ୩ଟି ରାଜ୍ୟସଭା ଉପନିର୍ବାଚନ ଏବଂ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟର ବିଧାନ ପରିଷଦ ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ, ଜେପି ନଡ୍ଡା ଏବଂ ଦେବେନ୍ଦ୍ର ଫଡ଼ନବୀସଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ନୀତିନ ନବୀନ ଓ ବିଏଲ ସନ୍ତୋଷ ଆଗାମୀ ନିର୍ବାଚନ ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଦଳ ଚଳିତ ଥର ରାଜ୍ୟସଭାରେ ନିଜର ପୂର୍ବ ସଂଖ୍ୟା ଠାରୁ ୩ରୁ ୪ଟି ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଇଛି।

କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଶୀର୍ଷ ନେତାମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ହୋଇଥିଲା। ଏଥିରେ ସାଂଗଠନିକ ପୁନର୍ଗଠନ ଏବଂ ନୂଆ ଟିମ ଗଠନ ନେଇ ବିଚାରବିମର୍ଶ ହୋଇଥିଲା।

ବର୍ତ୍ତମାନର କେନ୍ଦ୍ରୀୟ ନିର୍ବାଚନ ସମିତିର ଏହା ଶେଷ ବୈଠକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଖୁବଶୀଘ୍ର ବିଜେପି ଅଧ୍ୟକ୍ଷ ନୀତିନ ନବୀନ ନିଜର ନୂଆ ଟିମ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ସୋମବାର ଦିନ ରାଷ୍ଟ୍ରୀୟ କର୍ମକର୍ତ୍ତାଙ୍କର ଏକ ବୈଠକ ଡକାଯାଇଛି ଯାହା ପରେ ସାଂଗଠନିକ ସ୍ତରରେ ନୂଆ ନିଯୁକ୍ତି ଘୋଷଣା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *