ତାଳଚେର ବ୍ଳକରେ ହେଉନି ଉନ୍ନୟନ ମୂଳକକାର୍ଯ୍ୟ
ଗାଦି ମାଡ଼ିବସିଛନ୍ତି ବାବୁଭାୟା!
ତାଳଚେର, ୦୩/୦୬ ଶିଳ୍ପନଗରୀ ଭଳି ଏକ ତାଳଚେର ଅଂଚଳରେ ବ୍ଲକ କାର୍ଯ୍ୟାଳୟର ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଥିବା ବେଳେ ଆଜକୁ ଦୁଇବର୍ଷ ହେବ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣଭାବେ ଠପ୍ ହୋଇଯାଇଥିବା ସେହି କାର୍ଯ୍ୟାଳୟକୁ ଦେଖିଲେ ସ୍ପଷ୍ଟବାରି ହୋଇଯାଏ । ବ୍ଲକକୁ ୨ବର୍ଷ ହେବ କଂଟିଜେ଼ନ୍ସି ଟଙ୍କା ଆସୁନଥିବାରୁ ବ୍ଲକ କାର୍ଯ୍ୟାଳୟରେ କୌଣସି କାମ ସୂଚାରୁରୂପେ ହୋଇପାରୁନଥିବା ବେଳେ ଅର୍ଥାଭାବରୁ କାର୍ଯ୍ୟାଳୟର ରଙ୍ଗ ଟିକେ ବି ମରାଯାଇ ପାରୁନାହିଁ ଓ ଗ୍ରାମାଚଂଳ ଗୁଡ଼ିକରେ ଆଗରୁ ଯେପରି ରାସ୍ତା ନିର୍ମାଣ କାର୍ଯ୍ୟ, କୂଅ, ନଳକୂପ ଖନନ, ସଫେଇ ଇତ୍ୟାଦି କାର୍ଯ୍ୟ ପୂର୍ବରୁ ଯେପରି ହୋଇ ଆସୁଥିଲା ମାତ୍ର ତାହା ଏବେ ଆଉ ହେଉନାହିଁ ବୋଲି ବ୍ଲକ କାର୍ଯ୍ୟରେ ଆସୁଥିବା ଲୋକେ ଏହା ପ୍ରକାଶ କରୁଛନ୍ତି । ବ୍ଲକ ଚେୟାରମ୍ୟାନ ରୁମଟି ଛାତର ଅବସ୍ଥା ଦେଖିଲେ ଜଣାପଡ଼ିବ ଯେ ଏଠାରେ କିପ୍ରକାର ଉନ୍ନୟନ କାମ ଚାଲିଛି । ଏହି କାର୍ଯ୍ୟାଳୟକୁ ଦୈନିକ ବିଭିନ୍ନ କାର୍ଯ୍ୟରେ ସର୍ବସାଧାରଣ ଆସି ନିଜର କାର୍ଯ୍ୟକରି ଯାଉଥିବା ସହିତ ଠିକାଦାର ମାନଙ୍କର ସଦାସର୍ବଦା ସେମାନଙ୍କ ବିଲ ଓ ବିଭିନ୍ନ କାର୍ଯ୍ୟପାଇଁ ଅଫିସଟି ଚହଳଗହଳ ହୋଇଥାଏ । ମାତ୍ର ଏହି ଚହଳଗହଳ ଏବେ ଆଉ ଦେଖାଯାଇନାହିଁ । ଆହୁରି ମଧ୍ୟ ଠିକାଦାରମାନେ ବିଭିନ୍ନ କାର୍ଯ୍ୟ କରି ବିଲ୍ ଗଣ୍ଡେ ପାଇଁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିଲେ ହେଁ ସେମାନଙ୍କ ବିଲ ହୋଇ ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଠିକାଦାରମାନେ ଅଭିଯୋଗ କରୁଛନ୍ତି । ସରକାର ୬୦ବର୍ଷ ପୁରିଗଲେ ଭତା ସମସ୍ତଙ୍କୁ ଦେବାପାଇଁ କହୁଥିବା ବେଳେ କିଛି ଦିନ ହେବ ଭତା ହିତାଧିକାରୀମାନେ ଭତା ଗଣ୍ଡିଏ ପାଇଁ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କର ଭତା ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି । ବହୁ ଦୂରଦୂରାନ୍ତରୁ ବୃଦ୍ଧବୃଦ୍ଧା ମାନେ ଅନଲାଇନ୍ରେ ଆବେଦନ କରି କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ହେଁ ସେମାନଙ୍କୁ ଭତା ଗଣ୍ଡିଏ ମିଳିପାରୁ ନାହିଁ ବୋଲି ବାଦ୍ ପଡ଼ିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି । ସେହିପରି ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ୩ବର୍ଷରୁ ଉର୍ଦ୍ଧ୍ୱ ସମୟ ଗୋଟିଏ କାର୍ଯ୍ୟାଳୟରେ କେହି ରହିବାର ନିୟମ ନଥିଲେ ମଧ୍ୟ କୁଆଡ଼େ ଏଠାରେ ଜୁନିଅର୍ ଇଞ୍ଜିନିଅର ମାନସ ରଞ୍ଜନ ପ୍ରଧାନ, ୭ବର୍ଷରୁ ଉର୍ଦ୍ଧ୍ୱ, ଡ଼ମ୍ବରୁଧର ପ୍ରଧାନ ୫ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରୁଥିବା ବେଳେ ରିବନ୍ଦ୍ରନାଥ ଟୁଡ଼ୁଙ୍କ ଏଠାରୁ ୩ମାସ ହେବ ଦେବଗଡ଼ ବଦଳି ହୋଇଥିଲେ ମଧ୍ୟ ସେ କାହା ଚାପରେ ଗାଦି ମାଡ଼ି ବସି ରହିଥିବା ସହ ଏଠାରୁ ଯିବାକୁ ଅମଙ୍ଗ ହେଉଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲ୍ଳାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

June 3, 2026/
No Comments


